Below header

କେନ୍ଦ୍ର ଓ ରାଜ୍ଯ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସ୍ଥାନୀୟ ଆବାସିକ ପ୍ରମାଣପତ୍ର ନଥିଲେ କୌଣସି ରୋଗୀଙ୍କୁ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ

କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କୋଭିଡ୍ ପରିସ୍ଥିତି ସମ୍ବନ୍ଧରେ କେତେଗୁଡ଼ିଏ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ଥାନୀୟ ଆବାସିକ ପ୍ରମାଣ କିମ୍ବା ପରିଚୟ ପତ୍ର ନ ଥିଲେ ମଧ୍ୟ କୌଣସି ରୋଗୀଙ୍କୁ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଡାକ୍ତରଖାନାରେ ଭର୍ତ୍ତି ହେବା ନିମନ୍ତେ ଏକ ଜାତୀୟ ଯୋଜନା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତି କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜାତୀୟ ଯୋଜନାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଅନୁସରଣ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ସ୍ଥାନୀୟ ଆବାସିକ ପ୍ରମାଣ ଓ ପରିଚୟ ପତ୍ର ନ ଥିଲେ ବି କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଏବଂ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯାଇ ପାରିବ ନାହିଁ।

ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହଯୋଗରେ ଅକ୍ସିଜେନ୍ର ଏକ ‘ବଫର୍ ଷ୍ଟକ୍’ ସୃଷ୍ଟି କରିବା ଉଚିତ। ଯାହା ପାଇଁ ଆଗାମୀ ଦିନରେ କୌଣସି ସଙ୍କଟ ଦେଖା ଦେଲେ ମଧ୍ୟ ନିରବଚ୍ଛିନ୍ନ ଭାବେ ସବୁ ସ୍ଥାନକୁ ଅକ୍ସିଜେନ୍ ଯୋଗାଣ ଅବ୍ୟାହତ ରହିବ। ଏହାସହିତ ଦିଲ୍ଲୀରେ ନିଅଣ୍ଟ ହେଉଥିବା ଅକ୍ସିଜେନ୍ ଯୋଗାଣ ସମସ୍ୟା ଦୁଇ ଦିନ ମଧ୍ୟରେ ସମାଧାନ କରିବା ଲାଗି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.