ଆୟଠୁ ୧୦୦ ଗୁଣା ଅଧିକ ସମ୍ପତ୍ତି ଠୁଳ ମାମଲା: ହରିୟାଣାର ପୂର୍ବତନ ସିଏମ୍‌ ଓମ୍‌ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ୍‌

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ସିଏମ୍‌ ଓମ୍‌ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ୪ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। କୋର୍ଟ ଚୌଟାଲାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ନିଷ୍ପତ୍ତି ପରେ ତାଙ୍କ ପୁଅ ଅଭୟ ଚୌଟାଲା କହିଛନ୍ତି କି, ସେ କୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନାହାନ୍ତି। ଏହି ନିଷ୍ପତ୍ତି ବିରୋଧରେ ଅଭୟ ଆସନ୍ତା ସୋମବାର ହାଇକୋର୍ଟରେ ଅପିଲ କରିବେ।

ମାମଲାର ଶୁଣାଣି ସମୟରେ କୋର୍ଟ ଜାଣିବାକୁ ପାଇଥିଲେ ଯେ ଓମ୍‌ ପ୍ରକାଶ ଚୌଟାଲା ନିଜ ଆୟଠାରୁ ୧୮୯ ପ୍ରତିଶତରୁ ଅଧିକ ସମ୍ପତ୍ତି ଅର୍ଜିତ କରିଥିଲେ। ଏହି ମାମଲା କୋର୍ଟରେ ୧୬ ବର୍ଷ ଧରି ବିଚାରାଧୀନ ଥିଲା। କହି ରଖୁଛୁ ଯେ ଏହି ମାମଲାକୁ ନେଇ ୨୦୦୬ରେ ମାମଲା ରୁଜୁ କରାଯାଇଥିଲା। ଚୌଟାଲା ହରିୟାଣାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ବେଆଇନ ସମ୍ପତ୍ତି ଠୁଳ କରିଥିଲେ।

ସିବିଆଇ ଚୌଟାଲାଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ଦାବି କରିଥିଲା। ସେପଟେ ଚୌଟାଲାଙ୍କ ଓକିଲ ତାଙ୍କର ଖରାପ ସ୍ୱାସ୍ଥ୍ୟ ଏବଂ ଉତ୍ତମ ବ୍ୟବହାର ପାଇଁ ଦଣ୍ଡ କୋହଳ କରିବାକୁ ଅପିଲ କରିଛନ୍ତି। ଓକିଲ ଦାବି କରିଛନ୍ତି ଯେ ଚୌଟାଲା ରୋଗାଗ୍ରସ୍ତ ଥିବା ସହିତ ୯୦ ପ୍ରତିଶତ ଦିବ୍ୟାଙ୍ଗ। ଏଥିପାଇଁ ତାଙ୍କ ଦଣ୍ଡକୁ କୋହଳ କରାଯାଉ।