ସୀମା ଲଂଘୁଛି ପାକିସ୍ତାନ : ବର୍ଷକ ମଧ୍ୟରେ ୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲଂଘନ, ୨୧ ଜଣ ଭାରତୀୟଙ୍କ ମୃତ

ଅସ୍ତ୍ର ବିରତି ଉଲଂଘନରେ ସୀମା ଲଂଘୁଛି ପାକିସ୍ତାନ। ଚଳିତ ବର୍ଷ ୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲଂଘନ କରିସାରିଲାଣି। ଏଥିରେ ୨୧ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ଏହି ସୂଚନା ଦେଇଛନ୍ତି। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଛେଦ ପରେ ଅସ୍ତ୍ରବିରତି ଉଲଂଘନର ସଂଖ୍ୟା ବଢିବାରେ ଲାଗିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି ପାକିସ୍ତାନ। ତେବେ ଭାରତୀୟ ଯବାନ ସୀମରେ ସତର୍କ ରହିଥିବାରୁ ପାକିସ୍ତାନର ସବୁ ଉଦ୍ୟମ ପଣ୍ଡ ହୋଇଯାଉଛି।

wiponଅନ୍ୟପଟେ ସୀମାନ୍ତରେ ଥିବା ଜନବସତିକୁ ପାକିସ୍ତାନ ଅଧିକ ଟାର୍ଗେଟ୍ କରୁଛି। ଫଳରେ ସୀମାରେ ଥିବା ଅନେକ ସ୍କୁଲ ବନ୍ଦ ରହିଛି। ପୁଂଛ ମେଣ୍ଢର ସେକ୍ଟରରେ ଆଜି ମଧ୍ୟ ମୋର୍ଟାର ମାଡ଼ କରିଥିଲା ପାକିସ୍ତାନ ସେନା। ଗୋଟିଏ ଅଫୁଟା ମୋର୍ଟାରକୁ ଆଜି ଭାରତୀୟ ଯବାନ ବିସ୍ଫୋରଣ କରି ନଷ୍ଟ କରି ଦେଇଛନ୍ତି। ସୀମାରେ ଶାନ୍ତି ରକ୍ଷା କରିବାକୁ ଦୁଇ ଦେଶ ମଧ୍ୟରେ ୨୦୦୩ରେ ଅସ୍ତ୍ରବିରତି ରାଜିନାମା ହୋଇଥିଲା। କିନ୍ତୁ ପାକିସ୍ତାନ ଏହି ରାଜିନାମାକୁ ବାରମ୍ବାର ଉଲଂଘନ କରି ଚାଲିଛି।