ଏୟାରସ୍ପେସ୍ ବନ୍ଦ କରିବାକୁ ପୁଣି ପାକିସ୍ତାନର ଧମକ, ଜାଣନ୍ତୁ ପୂର୍ବଥର କେତେ କ୍ଷତି ସହିଥିଲା

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ସରକାର ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିଦିନ କିଛି ନା କିଛି ଏମିତି କାମ କରୁଛି ଯାହା ତା’ନିଜ ପାଇଁ ହିଁ ସମସ୍ୟା ସୃଷ୍ଟି କରୁଛି। ଏବେ ପାକିସ୍ତାନ ପୁଣି ଥରେ ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବାକୁ ଧମକ ଦେଇଛି। ପୂର୍ବରୁ ପାକିସ୍ତାନ ଭାରତ ସହିତ ସ୍ଥଳଭାଗର ସମ୍ପର୍କ ଚ୍ଛିନ୍ନ କରିଥିଲା। ଏବେ ଭାରତର ବାୟୁସୀମା ଉପରେ ରୋକ ଲଗାଇବାକୁ ଚେଷ୍ଟା ଚଳାଇଛି ପାକିସ୍ତାନ। ଏଥିସହ ଆଫଗାନିସ୍ତାନକୁ ସ୍ଥଳ ଭାଗରେ ବାଣିଜ୍ୟ ମାର୍ଗ ମଧ୍ୟ ବନ୍ଦ କରିବା ନେଇ ପାକିସ୍ତାନ ଚିନ୍ତା କରୁଛି।
ମଙ୍ଗଳବାର ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫୱାଦ ହୁସେନ୍ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ କ୍ୟାବିନେଟ୍ ବୈଠକରେ ଏ ନେଇ ପ୍ରସ୍ତାବ ରଖାଯାଇଛି। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ଯୋଜନା କରାଯାଉଛି। ମୋଦି ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ ବୋଲି ପାକିସ୍ତାନ ମନ୍ତ୍ରୀ ହୁସେନ୍ ଟ୍ୱିଟ କରିଛନ୍ତି।
ଏଥିସହ ପଢ଼ନ୍ତୁ: ଜମ୍ମୁ କଶ୍ମୀରରୁ ୩୭୦ ଉଚ୍ଛେଦ ମାମଲାର ହେବ ଶୁଶାଣି, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନୋଟିସ୍ ଜାରି
ପୂର୍ବଥର କେତେ କ୍ଷତି ସହିଥିଲା
ଧାରା ୩୭ଠ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ସହ ସମସ୍ତ ସମ୍ପର୍କ କାଟିଥିବା ନେଇ ଘୋଷଣା କରିଥିଲା। ଶେଷ ୧୩୮ ଦିନ ମଧ୍ୟରେ ପାକିସ୍ତାନ ୫ କୋଟି ଡଲାର ବା ପ୍ରାୟ ୩୬୦ କୋଟି ଟଙ୍କାର କ୍ଷତି ସହିଲାଣି। ଓଭରଫ୍ଲାଇଙ୍ଗ୍ ଚାର୍ଜ ଭାବେ ଏହି ଟଙ୍କା ପାକିସ୍ତାନକୁ ଗଣିବାକୁ ପଡ଼ିଛି। ସେହିପରି ଏୟାର ଇଣ୍ଡିଆକୁ ୫୬୦ କୋଟିର ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି। ଏଥିସହ ଇଣ୍ଡିଗୋ, ସ୍ପାଇସ ଜେଟ୍ ଏବଂ ଗୋ ଏୟାରକୁ ମଧ୍ୟ ୬ଠ କୋଟିର କ୍ଷତି ହୋଇଛି।
ତେବେ ପାକିସ୍ତାନର ଏଭଳି ଘୋଷଣା ପରେ ଏୟାର ଇଣ୍ଡିଆର ଜଣେ ପାଇଲଟ୍ କହିଛନ୍ତି ଯେ, ‘‘ଅଗଷ୍ଟ ୫ ତାରିଖ ୩୭ଠ ହଟିବା ଦିନଠାରୁ ହିଁ ଆମେ ଏନେଇ ପ୍ରସ୍ତୁତ ଥିଲୁ। ଆମେ ପୁରୁଣା ରଣନୀତି ଆପଣାଇବୁ’’। ତେବେ ଏହି ରଣନୀତି ଆପଣାଇଲେ ଭାରତ ସରକାରଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ବୋଝ ପଡ଼ିବ।