ବାପାମା’ ଫେସବୁକ୍‌ ଏବଂ ଇନଷ୍ଟା ଡିଲିଟ୍‌ କରିବାରୁ ଘରୁ ଫେରାର ହେଲା ନାବାଳିକା, ଅଜଣା ବ୍ୟକ୍ତି ସହିତ ଗଢିଉଠିଥିଲା ପ୍ରେମ ସଂପର୍କ

ମୋବାଇଲ ଗେମ୍ସ ଏବଂ ସୋସିଆଲ ମିଡିଆ ପଛରେ ପିଲା ଏମିତି ପାଗଳ ହୋଇଯାଇଛନ୍ତି। ଆଜିକାଲି ପିଲା ଏଥିପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ମୋବାଇଲ ଗେମ୍ସ ପାଇଁ ଅନେକ ଥର ଭୁଲ୍‌ ପଦକ୍ଷେପ ମଧ୍ୟ ନେଉଛନ୍ତି। କେଉଁଠି କିଏ ନିଜ ଜୀବନ ନେଇଯାଉଛି ତ ଆଉ କିଏ ମା’ ବାପାଙ୍କୁ ମାରି ଦେଉଛି। ଠିକ୍‌ ଏମିତି ଏକ ଘଟଣା ରାଜସ୍ଥାନର ରାଜଧାନୀ ଜୟପୁରରେ ଦେଖିବାକୁ ମିଳିଛି। ଯେଉଁଠି ୧୩ ବର୍ଷ ଜଣେ ଝିଅ ବାପା ମା’ ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରିବାରୁ ଘର ଛାଡି ଚାଲିଯାଇଛନ୍ତି।

ପୋଲିସ ମୁତାବକ, ୮ମ ଶ୍ରେଣୀରେ ପଢୁଥିବା ଝିଅ ବାପା ମା’ଙ୍କ ମୋବାଇଲରେ ସବୁବେଳେ ଗେମ୍ସ ଖେଳିବା ସହିତ ସୋସିଆଲ ମିଡିଆ ଆପ୍ସ ଚଲାଉଥିଲେ। ଘର ଲୋକେ ସବୁବେଳେ ଏହି ଜିନିଷ କରିବାକୁ ବାରଣ କରୁଥିଲେ। କିନ୍ତୁ ପିଲା ମାନିବାକୁ ନାରାଜ। ଏମିତି କିଛିଦିନ ଚାଲିବା ପରେ ବାପା ମା’ ଫୋନରୁ ସୋସିଆଲ ମିଡିଆ ଆପ୍‌କୁ ଡିଲିଟ୍‌ କରିଦେଲେ। ଆଉ ଏହି କଥା ଜାଣିବା ପରେ ୧୩ ବର୍ଷର ଝିଅ ରାତାରାତି କେଉଁଆଡେ ଫେରାର ହୋଇଯାଇଥିଲା।

ଏହି ଘଟଣା ବିଷୟରେ ପରିବାର ଲୋକ ଜାଣିବା ପରେ ବିଦ୍ୟାନଗର ଥାନାରେ ଝିଅର ନିଖୋଜ ହେବା ରିପୋର୍ଟ ଦେଇଥିଲେ। ପୋଲିସ ତୁରନ୍ତ ପିଲାକୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ କରିଥିଲା। ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ଏକ ଟିମ୍‌ ଆଜମେର ଯାଇଥିଲା। ସେଠାରେ ଏକ ବସ୍‌ରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା।

ସୂଚନା ମୁତାବକ, ନାବାଳିକା ଜଣକ ସୋସିଆଲ ମିଡିଆରେ କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିଥିଲେ। ତେଣୁ ତାଙ୍କୁ ଦେଖା କରିବା ପାଇଁ ବାପା ମା’ ଙ୍କୁ ଛାଡି ଫେରାର ହେବାକୁ ଯୋଜନା କରିଥିଲେ ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.