ଇସ୍ରୋ ଅଧ୍ୟକ୍ଷ କେ.ଶିବନଙ୍କ ସହ ସେଲଫି ନେଲେ କ୍ୟାବିନ କ୍ରୁ ଏବଂ ସହଯାତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇସ୍ରୋର ଅଧ୍ୟକ୍ଷ କେ.ଶିବନଙ୍କ ଲୋକପ୍ରିୟତା ସମଗ୍ର ଦେଶରେ ବୃଦ୍ଧି ପାଇଛି । ନିକଟରେ ଟୁଇଟରରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରୁ ଏକଥାର ପ୍ରମାଣ ମିଳିଛି । ଲେଖିକା ଶେଫାଳୀ ବୈଦ୍ୟ ଏହାକୁ ପୋଷ୍ଟ କରିଛନ୍ତି । ଏକ ବିମାନ ଯାତ୍ରା ସମୟରେ ବିମାନ ମଧ୍ୟରେ ଇସ୍ରୋ ଅଧ୍ୟକ୍ଷଙ୍କୁ ଯାତ୍ରୀମାନେ ଅଭିନନ୍ଦନ ଜଣାଇଥିଲେ ।

୯୦ ସେକେଣ୍ଡ ଅବଧିର ଏହି ଭିଡିଓ କ୍ଲିପରେ ଦେଖିବାକୁ ମିଳୁଛି କି କେ.ଶିବନ୍ ବିମାନ ଭିତରକୁ ପ୍ରବେଶ କରିବା ପରେ ପ୍ରଥମେ କ୍ୟାବିନ୍ କ୍ରୁ ତାଙ୍କୁ ଚିହ୍ନି ପାରି ଅଭିବାଦନ ଜଣାଇଥିଲେ ଓ ସେଲ୍ଫି ନେବା ଲାଗି ଅନୁମତି ମାଗିଥିଲେ । ଏହାପରେ ଅନ୍ୟ ଯାତ୍ରୀମାନେ ତାଙ୍କ ପରିଚୟ ପାଇବା ପରେ ଅଭିବାଦନ ଜଣାଇବା ସହିତ ସେଲ୍ଫି ନେଇଥିଲେ । ସେ ନିଜ ସିଟକୁ ଯିବା ବେଳେ ସମସ୍ତ ଯାତ୍ରୀ ତାଳି ମାରି ସ୍ୱାଗତ କରିଥିଲେ ।

ପ୍ରତି ବଦଳରେ ଇସ୍ରୋ ଅଧ୍ୟକ୍ଷ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ କରମର୍ଦ୍ଦନ କରିଥିଲେ । ଟୁଇଟରରେ ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଲୋକେ ତାଙ୍କୁ ଦେଖି ଏପିଜେ ଅବଦୁଲ କାଲାମ୍ ମନେପଡୁଛନ୍ତି ବୋଲି ଲେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.