Below header

ପୋଲିସ ହେବ ତ ଏମିତି! ହାତରେ ଲାଠି ଧରି ଅମାନିଆଙ୍କୁ ସାବାଡ୍‌ କରୁଛନ୍ତି ୫ ମାସର ଗର୍ଭବତୀ ଡିଏସ୍‌ପି ଶିଳ୍ପା ସାହୁ

ହାତରେ ଲାଠି ଓ ଦେହରେ ପୋଲିସ ବର୍ଦ୍ଦି। ଧୁ ଧୁ ଖରାରେ ବି ନିଜ ଡ୍ୟୁଟି କରୁଛନ୍ତି ଏହି ମହିଳା ପୋଲିସ ଅଫିସର ଜଣକ। ଏହି ପୋଲିସ ଅଫିସର ଏବେ ୫ ମାସର ଗର୍ଭବତୀ। ତଥାପି ସେ ଆରାମ ନ କରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି ନିଜ ଦାୟିତ୍ୱ ତୁଲାଇବାକୁ। ଏହି ଦବଙ୍ଗ ଲେଡି ଅଫିସର ହେଉଛନ୍ତି ଡିଏସ୍‌ପି ଶିଳ୍ପା ସାହୁ। ଛତିଶଗଡ଼ ଦନ୍ତେଓ୍ଵାଡ଼ା ଜିଲ୍ଲା ରେ କାମ କରୁଛନ୍ତି।

ଛତିଶଗଡ଼ରେ କରୋନା ମହାମାରୀ ଉଗ୍ର ରୂପ ନେଇଥିବା ବେଳେ ଶିଳ୍ପା ସାହୁଙ୍କୁ ମିଳିଛି ଅମାନିଆଙ୍କୁ ସାବାଡ୍‌ କରିବା ଦାୟିତ୍ବ‌। ଏଣୁ ହାତରେ ଲାଠି ଧରି ରାସ୍ତାରେ ଡ୍ୟୁଟି କରୁଛନ୍ତି। ଜିଲ୍ଲାରେ କରୋନା ମହାମାରୀ ଭୟଙ୍କର ହୋଇଥିବାରୁ ଜିଲ୍ଲା ପ୍ରଶାସନ ୧୮ ତାରିଖରୁ ଲକ ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଲୋକଙ୍କ ଜୀବନ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଛନ୍ତି ଏହି ମହିଳା ଅଫିସର ଶିଳ୍ପା ସାହୁ। ଦନ୍ତେୱାଡା ଜିଲ୍ଲା ସଦରମହକୁମାରେ ଲକ ଡାଉନ ସମୟରେ ଅମାନିଆ ଘରୁ ବାହାରୁ ଥିବାରୁ ତାଙ୍କୁ ସଚେତନ କରୁଛନ୍ତି ଏହି ମହିଳା DSP।

ନିଜେ ୫ ମାସର ଗର୍ଭବତୀ। ତଥାପି ନିଜ ଅଞ୍ଚଳର ଲୋକ କେମିତି କରୋନା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସେ ଚିନ୍ତିତ। ବର୍ତ୍ତମାନ ପରିସ୍ଥିତିରେ ସେ ଚାହିଁଲେ ଛୁଟିରେ ରହି ପାରିଥାନ୍ତେ। ତାଙ୍କ ପାଇଁ କୌଣସି ବାଧ୍ୟବାଧ୍ୟତା ନଥିଲା। କିନ୍ତୁ ଜଣେ କର୍ତ୍ତବ୍ୟ ନିଷ୍ଠ ଅଫିସର ଭାବେ ନିଜ କାର୍ଯ୍ୟକୁ ହିଁ ପ୍ରାଥମିକତା ଦେଇଛନ୍ତି ଶିଳ୍ପା। ତା ସହ ଏହି ମହାମାରୀ ସମୟରେ ନିଜ ସାଥି ଯବାନଙ୍କୁ ଡିଉଟି କରିବାକୁ ବେଶ୍ ଉତ୍ସାହିତ କରୁଛନ୍ତି। ଏହା ବ୍ୟତୀତ ମାଓଗଡ଼ ରେ ମାଓ ଦମନ ପାଇଁ ସେ ବେଶ ଖ୍ୟାତି ଅର୍ଜ୍ଜନ କରିଛନ୍ତି। ଦନ୍ତେଶ୍ଵରୀ ମହିଳା DRGକୁ ଲିଡ୍ କରୁଛନ୍ତି DSP ଶିଳ୍ପା ସାହୁ।

ଦନ୍ତେୱାଡା ଜିଲ୍ଲା ମାଓଗଡ଼ ଭାବେ ପରିଚିତ ଥିବା ବେଳେ ତେଲମ, ଟେଟମ, ମିଲବାୟା, ଚିକପାଲ ଭଳି ଦୁର୍ଗମ ଅଞ୍ଚଳରେ ମାଓ ଅପରେସନରେ ଯାଇ ବେଶ୍ ସଫଳତା ସାଉଣ୍ଟିଛନ୍ତି ଶିଳ୍ପା। କିଛି ସ୍ଥାନରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଦିଫ୍ୟୁଜ କରିବାରେ ବି ସଫଳ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ସାହସୀ ଅଫିସରଙ୍କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି। DSP ଶିଳ୍ପାଙ୍କୁ ଦେଖି ଯୁବପିଢ଼ି ନିଶ୍ଚୟ ଭାବେ ଉତ୍ସାହିତ ହେବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.