Below header

ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତ ହେବେ JNUର ନୂତନ କୁଳପତି; ଦିନେ ଥିଲେ ଛାତ୍ରୀ, ଆଜି ହେବାକୁ ଯାଉଛନ୍ତି ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି 

ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟର ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତଙ୍କୁ ଜେଏନୟୁ (JNU)ର ନୂତନ କୁଳପତି ନିଯୁକ୍ତ କରାଯାଇଛି। ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତ ଜେଏନୟୁର ପ୍ରଥମ ମହିଳା କୁଳପତି ହେବେ। ଶିକ୍ଷା ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁସାରେ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଭିସି ଭାବରେ ପ୍ରଫେସର ପଣ୍ଡିତଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ହେବ। ଜେଏନୟୁର ଭିଜିଟର ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତଙ୍କୁ ଜେଏନୟୁ କୁଳପତି ଭାବରେ ନିଯୁକ୍ତି ଆଦେଶ ଜାରି କରିଥିଲେ। ପ୍ରଫେସର ପଣ୍ଡିତ ନିଜ ଏକାଡେମିକ୍ କାର୍ଯ୍ୟକାଳରେ ୨୯ ପିଏଚଡି ସ୍କଲାରଙ୍କୁ ମାର୍ଗଦର୍ଶନ ଦେଇଛନ୍ତି।

ଜେଏନୟୁ ଛାତ୍ରୀରୁ ପ୍ରଥମ ମହିଳା କୁଳପତି ପର୍ଯ୍ୟନ୍ତ ଯାତ୍ରା

ଏହା ପ୍ରଥମ ଥର ହେବାକୁ ଯାଉଛି କି, ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ମଙ୍ଗ ଜଣେ ମହିଳା କୁଳପତି ଧରିବେ। ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତ ପୁଣେ ବିଶ୍ୱବିଦ୍ୟାଳୟରେ ରାଜନୀତି ଏବଂ ଲୋକ ପ୍ରଶାସନ ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ସେ ଜେଏନୟୁର ପୂର୍ବତନ ଛାତ୍ରୀ ମଧ୍ୟ ରହିଛନ୍ତି। ପ୍ରଫେସର ପଣ୍ଡିତ ଜେଏନୟୁରୁ International Relationsରେ ଏମ୍‌ଫିଲ ଏବଂ ଭାରତୀୟ ସଂସଦ ଓ ବୈଦେଶିକ ନୀତି ଉପରେ ପିଏଚଡି ଉପାଧି ପ୍ରାପ୍ତ କରିଛନ୍ତି। ସେ ଆମେରିକାର California State Universityରୁ ସୋସିଆଲ ଓ୍ଵାର୍କରେ ଡିପ୍ଲୋମା ମଧ୍ୟ କରିଛନ୍ତି। ଏହା ବ୍ୟତୀତ ଇତିହାସ ଓ ସାମାଜିକ ମନୋବିଜ୍ଞାନରେ ବିଏ ଏବଂ ମାଡ୍ରାସର ପ୍ରେସିଡେନ୍ସି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଛନ୍ତି।

ପ୍ରଫେସର ପଣ୍ଡିତ ୧୯୮୮ରେ ଗୋଆ ବିଶ୍ୱବିଦ୍ୟାଳୟରୁ ନିଜର ଏକାଡେମିକ୍ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଏହାପରେ ୧୯୯୩ରେ ସେ ପୁଣେ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେ ବିଭିନ୍ନ ଶିକ୍ଷା ସଂସ୍ଥାରେ ପ୍ରଶାସନିକ ପଦରେ କାର୍ଯ୍ୟ କରିଛନ୍ତି। ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି), ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏସ୍‌ଏସ୍‌ଆର)ର ସଦସ୍ୟ ମଧ୍ୟ ରହିଛନ୍ତି। ଜେଏନୟୁର କାର୍ଯ୍ୟନିର୍ବାହୀ କୁଳପତି ପ୍ରଫେସର ଏମ୍‌ ଜଗଦୀଶ କୁମାରଙ୍କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ପରେ ଏହି ପଦ ଖାଲି ପଡ଼ିଥିଲା। ପ୍ରଫେସର କୁମାର ନିଜର କାର୍ଯ୍ୟକାଳ ପୂରା ହେବା ପରଠାରୁ ହିଁ କାର୍ଯ୍ୟକାରୀ କୁଳପତିର ଦାୟିତ୍ୱ ସମ୍ଭାଳୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.