ପାକିସ୍ତାନୀ ସାଂସଦ ଆମିର ଲିୟାକତ ହୁସେନଙ୍କର ସନ୍ଦେହଜନକ ମୃତ୍ୟୁ, ପୂର୍ବ ରାତିରେ ପ୍ରବଳ କାନ୍ଦିଥିବା ସୂଚନା

ଇସଲାମାବାଦ: ଆଉ ନାହାନ୍ତି ପାକିସ୍ତାନୀ ସାଂସଦ ତଥା ଜଣାଶୁଣା ହୋଷ୍ଟ ଆମିର ଲିୟାକତ ହୁସେନ। ଆମିରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୂରା ପାକିସ୍ତାନରେ ଶୋକ ଖେଳିଯାଇଛି। ଆମିର ପାକିସ୍ତାନର ଜଣେ ଜଣାଶୁଣା ହୋଷ୍ଟ ଓ କଳାକାର ଥିଲେ। ନିଜ କାମ ବ୍ୟତୀତ ସେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ନିକଟରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଆମିର।

ତେବେ କରାଚୀ ସ୍ଥିତ ତାଙ୍କ ଘରେ ଆମିର ଲିୟାକତ ହୁସେନ୍‌ଙ୍କ ମୃତ ଦେହ ମିଳିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆଜି ସକାଳେ ଲିୟାକତଙ୍କ ସ୍ୱାସ୍ଥାବସ୍ଥା ଖରାପ ହୋଇଯାଇଥିଲା। ପରେ ତାଙ୍କୁ ତୁରନ୍ତ ଆଗା ଖାନ୍‌ ବିଶ୍ୱବିଦ୍ୟାଳୟ ହସ୍ପିଟାଲକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ତାଙ୍କ କହିବାନୁସାରେ, ପ୍ରାରମ୍ଭିକ ରିପୋର୍ଟରେ କୌଣସି ଗଡ଼ବଡ଼ ଥିବା ଜଣାପଡ଼ିନାହିଁ।

ତେବେ ଇତି ମଧ୍ୟରେ ତାଙ୍କ ଚାକରର ବୟାନ ସାମ୍ନାକୁ ଆସିଛି। ସେ ସାଂସଦଙ୍କ ମୃତ୍ୟୁ ପୂର୍ବର କାହାଣୀ କହିଛନ୍ତି। ତାଙ୍କ କହିବାନୁସାରେ, ସେ ଆମିର ଲିୟାକତଙ୍କୁ ଅସୁସ୍ଥ ଅବସ୍ଥାରେ ପ୍ରଥମେ ଦେଖିଥିଲେ। ଚାକର କହିଛନ୍ତି, ମୁଁ ଅବ୍ଦାସଙ୍କ ସହ ମୋ ପଇସା ନେବାକୁ ଭିତରକୁ ଆସିଥିଲି। ଭିତରକୁ ଆସି ଦେଖିବା ବେଳକୁ ସାହେବ ସୋଫାରେ ପଡ଼ିଥିଲେ। ତାଙ୍କ ପାଦ ସୋଫା ତଳେ ଥିଲା। ଆମେ ସେତେବେଳେ କିଛି ଜାଣିପାରିଲୁ ନାହିଁ। ଆମେ ସାହେବଙ୍କୁ ହଲାଇଲୁ ଓ ମୁହଁକୁ ପାଣି ଛାଟିଲୁ। କିନ୍ତୁ ସେ ହଲଚଲ ହେଲେ ନାହିଁ। ପରେ ଆମେ ତୁରନ୍ତ ଆମ୍ବୁଲାନ୍ସ ଡାକିଥିଲୁ। ତା’ ପରେ ଆମ୍ବୁଲାନ୍ସ ଆସି ତାଙ୍କୁ ନେଇଗଲା।

ଅନ୍ୟ ଏକ ମିଡିଆ ସହ କଥା ହେବା ପରେ ଆମିରଙ୍କ ଚାକର କହିଛନ୍ତି ଯେ ସାହେବ ରାତିରେ କହୁଥିଲେ ମୁଁ ମରିଯିବି, ମୁଁ ମରିଯିବି। ରାତିରେ ସେ ବହୁତ କାନ୍ଦୁ ବି ଥିଲେ। କିନ୍ତୁ ତା’ ପରେ ଠିକ୍‌ ଥିଲେ। ସକାଳେ ବି ସେ ସାଧାରଣ ଭାବେ କଥା ବାର୍ତ୍ତା କରିଥିଲେ। କିନ୍ତୁ ଦିନ ୧୦ଟା ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତା’ପରେ ଆମେ ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲକୁ ପଠାଇଥିଲୁ।

Also Read: ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି ମହିଳା: ସରକାରୀ କ୍ୱାର୍ଟରରେ ୟୁନିସେଫ୍‌ ଅଧିକାରୀଙ୍କୁ ଦୁଷ୍କର୍ମ କଲେ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.