ଦକ୍ଷିଣ କୋରିଆ: ଜିଲ୍ଲା କୋର୍ଟ ସନ୍ନିକଟ ବିଲ୍ଡିଂରେ ଅଜଣା ବ୍ୟକ୍ତି ଲଗାଇ ଦେଲେ ନିଆଁ! ଗୋଟିଏ କୋଠରୀରୁ ମିଳିଲା ୭ ଜଣଙ୍କ ମୃତଦେହ
ଦକ୍ଷିଣ କୋରିଆର ଦେଗୁ ସହରରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଅଗ୍ନିଶମ ଏବଂ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ନିଆଁକୁ ତୁରନ୍ତ ନିୟନ୍ତ୍ରଣକୁ ନେଇଥିଲା। ସକାଳ ପ୍ରାୟ ୧୦ଟା ୫୫ରେ ସହରର ଜିଲ୍ଲା କୋର୍ଟ ନିକଟସ୍ଥ ଏକ ୭ ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଛି।
ପୋଲିସ ସୂଚନା ମୁତାବକ, କେହି ଜଣେ ଅଜଣା ବ୍ୟକ୍ତି ବିଲ୍ଡିଂରେ ଥିବା ଜଣେ ଓକିଲଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ଘଟଣାରେ ଅତି କମ୍ରେ ୪୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୬ ଜଣ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କ୍ୟାମେରା ଫୁଟେଜରେ ଅଜଣା ବ୍ୟକ୍ତି ନିଜ ଘରୁ ବାହାରୁଥିବାର ଦେଖାଯାଉଛନ୍ତି ଏବଂ ତାଙ୍କ ପାଖରେ ଏକ କଣ୍ଟେନର ରହିଛି, ଯାହାକି ନିଆଁ ଲଗାଇବା ପାଇଁ ବ୍ୟବହାର କରାଯାଇଥାଏ। ପୋଲିସ ମୁତାବକ, ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତ ଲୋକ ଗୋଟିଏ କୋଠରୀ ଭିତରୁ ମିଳିଛନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।