Below header

ପୁଟିନ୍‌ଙ୍କ ପ୍ଲାନ୍‌ : ଜେଲେନସ୍କିଙ୍କୁ ହଟାଇ ପୂର୍ବତନ ରାଷ୍ଟ୍ରପତିଙ୍କୁ ଶାସନ ଗାଦିରେ ବସାଇବେ !

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଉପରେ ଏବେ ସାରା ବିଶ୍ୱର ନଜର । କୌଣସି ଦେଶର କଥାକୁ ଶୁଣୁ ନାହିଁ ରୁଷିଆ ଆଉ ୟୁକ୍ରେନ୍‌ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛି । ଯେମିତି ଏହି ଦେଶକୁ ପୂରା ଧ୍ୱସ୍ତବିଧ୍ୱସ୍ତ କରି ଦେବାର ଶପଥ ନେଇଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ୟୁକ୍ରେନ୍‌କୁ ଏଭଳି ଭାବେ ଆକ୍ରମଣ କରିବା ପଛରେ କୌଣସି ଠୋସ୍‌ କାରଣ ନାହିଁ ବୋଲି ଅନେକ ଭାବି ନେଇଛନ୍ତି । ଯେଉଁ କାରଣ ରୁଷିଆ ଦର୍ଶାଉଛି ତାହା ଯଥେଷ୍ଟ ନୁହେଁ । ୟୁକ୍ରେନ୍‌ ନାଟୋରେ ଯୋଗ ଦେବାକୁ ଚାହୁଁଥିବାରୁ ତାକୁ ବିରୋଧ କରି ଏଭଳି ତାଣ୍ଡବ କରୁଛି ରୁଷ୍‌ । ଅନ୍ୟପକ୍ଷରେ ଆଉ କିଛି ଲୋକଙ୍କ ବିଶ୍ୱାସ, ପୁଟିନ୍‌ ପାଗଳ ହୋଇ ଯାଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଆମେରିକା ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ବିରୋଧ ଏକଂ କଟକଣା ସତ୍ତ୍ୱେ ରୁଷିଆ କାହିଁକି ଯୁଦ୍ଧ ବନ୍ଦ କରୁ ନାହିଁ କି ନିରବି ଯାଉ ନାହିଁ ? ଆଜିକୁ ସାତ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚଳାଇଛି ରୁଷିଆ । ଏମିତିକି ସାଧାରଣ ଲୋକଙ୍କୁ ମାରିବାକୁ ବି ପଛାଉ ନାହିଁ । … ଧୀରେ ଧୀରେ ଏହାର ରହସ୍ୟ ପଦାକୁ ଆସିବାରେ ଲାଗିଲାଣି ।
ଯାହା କୁହାଯାଉଛି, ୟୁକ୍ରେନ୍‌ର ବର୍ତ୍ତମାନ ରାଷ୍ଟ୍ରପତି ଜେନେଲସ୍କି କୁଆଡ଼େ ପୁଟିନ୍‌ଙ୍କର ଆଦୌ ପସନ୍ଦ ନୁହନ୍ତି । ସେ ଶାସନକୁ ଆସିବା ପରେ ରୁଷିଆ ସହିତ ୟୁକ୍ରେନ୍‌ର ସମ୍ପର୍କ ଅଧିକ ବିଗିଡ଼ିଛି । ତେଣୁ ପରୋକ୍ଷ କାରଣ ଦେଖାଇ ଜେନେଲସ୍କିଙ୍କୁ ଗାଦିଚ୍ୟୁତ କରି ପୂର୍ବତନ ରାଷ୍ଟ୍ରପତିଙ୍କୁ କ୍ଷମତା ଦେବାର ଯୋଜନା କରିଛନ୍ତି ପୁଟିନ୍‌ । ଜେନେଲସ୍କିଙ୍କ ଦୁଇ ପିଢ଼ି ପୂର୍ବରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଥିଲେ ଭିକ୍ଟର ୟାନୁକୋଭିଚ୍‌ । ସେ ପୁଟିନ୍‌ଙ୍କ ଅନୁଗତ ଭଳି କାମ କରୁଥିଲେ । ତେଣୁ ୟୁକ୍ରେନ୍‌ ଦଖଲ ପରେ ତାଙ୍କୁ ହିଁ ଶାସନ କ୍ଷମତା ଦେବା ଲାଗି ରୁଷିଆ ସ୍ଥିର କରିଥିବା ଚର୍ଚ୍ଚା ହେଉଛି। ୧୯୯୧ ମସିହାରେ ସୋଭିଏତ ୟୁନିଅନ ଭାଙ୍ଗିବା ପରେ ୟୁକ୍ରେନ୍‌ ସ୍ୱାଧୀନ ରାଷ୍ଟ୍ର ହୋଇଥିଲା । ଭିକ୍ଟର ୟୁକ୍ରେନ୍‌ର ଚତୁର୍ଥ ରାଷ୍ଟ୍ରପତି ଥିଲେ ।

ୟାନୁକୋଭିଚ୍‌ ୨୦୧୪ ନିର୍ବାଚନରେ ହାରିବା ପରଠାରୁ ବେଲାରୁଷ୍‌ର ରାଜଧାନୀ ମିଂସ୍କରେ ରହୁଛନ୍ତି । ତାଙ୍କୁ ଏବେ ୭୨ ବର୍ଷ ବୟସ । ତେବେ ରୁଷିଆ ପକ୍ଷରୁ ୟାନୁକୋଭିଚ୍‌ଙ୍କୁ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ତେବେ ତାଙ୍କୁ ହିଁ ରାଷ୍ଟ୍ରପତି କରିବା ପାଇଁ ପୁଟିନ୍‌ ଏଭଳି କରୁଥିବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଚିନ୍ତା କରୁଛନ୍ତି ।

ଅବଶ୍ୟ ଭିକ୍ଟର ୟାନୁକୋଭିଚ୍‌ଙ୍କୁ ୟୁକ୍ରେନ୍‌ର ଦକ୍ଷିଣପନ୍ଥୀମାନେ ଆଦୌ ପସନ୍ଦ କରନ୍ତି ନାହିଁ । ପୁଣି ତାଙ୍କ ନାଁରେ ଏକ ଡକାୟତି ମାମଲା ମଧ୍ୟ ରହିଛି । ସେ ୧୭ ବର୍ଷ ବୟସରେ ୧୯୬୭ ମସିହା ଡିସେମ୍ବର ମାସରେ ଡକାୟତିରେ ସାମିଲ ଥିବା ଅଭିଯୋଗରେ ତିନି ବର୍ଷ ଜେଲ୍‌ ଯାଇଥିଲେ । ପୁଣି ୧୯୭୦ରେ ଏକ ଆକ୍ରମଣ ଘଟଣାରେ ପୁଣି ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିଥିଲେ । ୧୯୯୬ରୁ ୨୦୧୪ ପର୍ଯ୍ୟନ୍ତ ସେ ରାଜନୀତିରେ ସକ୍ରିୟ ରହିବା ପରେ ୟୁକ୍ରେନ୍‌ ଛାଡ଼ି ବେଲାରୁଷ ଚାଲି ଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.