ଛୋଟ ପିଲା ସହିତ ପୁସ୍‌ଅପ୍‌ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରଲ

ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛି କଂଗ୍ରେସ। ଆଉ ଏହି ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଛୋଟ ପିଲା ସହିତ କରିଛନ୍ତି ପୁସ୍‌ଅପ୍‌ ଚ୍ୟାଲେଞ୍ଜ। କର୍ଣ୍ଣାଟକରେ ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଜଣେ ଛୋଟ ପିଲାସହିତ ଏହି ଚ୍ୟାଲେଞ୍ଜ କରିଛନ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହାକୁ କଂଗ୍ରେସ ନିଜ ଟ୍ଵିଟର ପେଜରେ ପକାଇଛି। ରାହୁଲଙ୍କ ସହିତ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାର ଏବଂ ଦଳର ସାଧାରଣ ସମ୍ପାଦକ କ‌େ. ସି. ବେଣୁଗୋପାଳ ମଧ୍ୟ ପୁସଅପ୍‌ ପକାଇଥିଲେ।

କଂଗ୍ରେସ ଟ୍ଵିଟରରେ ଭିଡିଓକୁ ସେୟାର କରିଛି। ଯେଉଁଥିରେ ରାହୁଲ ଗାନ୍ଧୀ ବାଟରେ ଯାଉଥିବା ବେଳେ ଜଣେ ପିଲା ଆସି ତାଙ୍କ ସହିତ ଚାଲିବା ଆରମ୍ଭ କରିଛି। ତା’ପରେ ସେ ପିଲାଟିକୁ ରାହୁଲ ଗାନ୍ଧୀ  ଡାକି ପୁସ୍‌ଅପ୍‌ ମାରିବା ପାଇଁ କହିଛନ୍ତି। ରାହୁଲ ଓ ପିଲାଟି ପୁସ୍‌ଅପ୍‌ ମାରିବା ବେଳେ ଡି. କେ. ଶିବକୁମାର ଏବଂ କେ. ସି. ବେଣୁଗୋପାଳ ମଧ୍ୟ ସେମାନଙ୍କ ସହିତ ମିଶି ପୁସଅପ୍‌ ମାରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି କିଛି ସମୟ ପୁସଅପ୍‌ ମାରିବା ପରେ ପ୍ରଥମେ ଡି. କେ. ଶିବକୁମାର ଉଠିଯାଉଛନ୍ତି। ଆଉ ଶେଷରେ ଉଠୁଛନ୍ତି କେ. ସି. ବେଣୁଗୋପାଳ। ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ରାହୁଲଙ୍କ ପ୍ରଶଂସକ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

ରାହୁଲ ଚ୍ୟାଲେଞ୍ଜ କରିଥିବା ପିଲାଟି ଶେଷ ପର୍ଯ୍ୟନ୍ତ ପୁସଅପ୍‌ ମାରିପାରିନଥିଲା। କିନ୍ତୁ ରାହୁଲ ପିଲାଟି ସହିତ କରମର୍ଦ୍ଦନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ପୂର୍ବରୁ ଭାରତ ଯୋଡୋ ଯାତ୍ରାରେ ୪୨ ହଜାର ଟଙ୍କାର ଟିସାର୍ଟ ପିନ୍ଧି ବେଶ୍‌ ଚର୍ଚ୍ଚାର ପରିସରକୁ ଆସିଥିଲେ ରାହୁଲ ଗାନ୍ଧୀ। ଏହାକୁ ନେଇ ବିଜେପି ସମାଲୋଚନା ମଧ୍ୟ କରିଥିଲା।

ସୂଚନାଯୋଗ୍ୟ, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ଏହି ଯାତ୍ରା ୧୨ ରାଜ୍ୟ ଦେଇ ଜମ୍ମୁ-କାଶ୍ମୀରରେ ଶେଷ ହେବ। କଂଗ୍ରେସ ମୁତାବକ, ଏହି ଯାତ୍ରା ପାଖାପାଖି ୧୫୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୋଟ ୩,୫୦୦ କିଲୋମିଟରର ଲମ୍ବା ଯାତ୍ରା ସ୍ଥିର କରାଯିବ। ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତୀ, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି। ଏହାକୁ ନେଇ ଦଳର ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି। ଆଗାମୀ ୧୫୦ ଦିନରେ କଂଗ୍ରେସ ସମୁଦାୟ ୩ ହଜାର ୫୦୦ କିଲୋମିଟର ଯାତ୍ରା କରିବ। ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହେବ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୨ଟି ପର୍ଯ୍ୟାୟରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିବ। ଏହି ସମୟରେ କୌଣସି ନେତା ହୋଟେଲରେ ରହିବେ ନାହିଁ । କଣ୍ଟେନରରେ ରାତ୍ରି ଯାପନ କରିବେ କଂଗ୍ରେସ ନେତା ଓ କର୍ମୀ। ଏଥିପାଇଁ ୬୦ଟି କଣ୍ଟେନର ବ୍ୟବସ୍ଥା କରାଯାଇଛି।

Also Read : ଭାରତ ଯୋଡ଼ୋ ଯାତ୍ରାରେ ୪୨ ହଜାର ଟଙ୍କାର ଟି-ଶାର୍ଟ ପିନ୍ଧିଥିଲେ ରାହୁଲ ଗାନ୍ଧୀ! କଡ଼ା ସମାଲୋଚନା କରି ଏମିତି ଟ୍ଵିଟ୍‌ କଲା ବିଜେପି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.