ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି, ବିଶାଳ ରୋଡ୍‌ ଶୋ’ରେ ସାମିଲ ହେଲେ ଭଉଣୀ ପ୍ରିୟଙ୍କା

ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୁଧବାର ୱାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୁଧବାର ୱାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ରାହୁଲ କଲପେଟାରୁ ଏକ ବିଶାଳ ରୋଡ୍ ଶୋ’ ଆରମ୍ଭ କରିଥିଲେ ।

ରୋଡ ଶୋ’ ସମୟରେ ରାହୁଲ ଗାନ୍ଧି କହିଛନ୍ତି ଯେ ‘ଏଠାରେ ମଣିଷ-ପଶୁ ଲଢ଼େଇର ସମସ୍ୟା ରହିଛି, ମେଡିକାଲ କଲେଜର ସମସ୍ୟା ରହିଛି । ମୁଁ ଏହି ଲଢ଼େଇରେ ୱାୟନାଡର ଲୋକଙ୍କ ସହିତ ଛିଡା ହୋଇଛି । ଆମେ ମେଡିକାଲ କଲେଜକୁ ନେଇ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛୁ । ସିଏମ୍‌ଙ୍କୁ ପତ୍ର ଲେଖିଛୁ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଆଗକୁ ବଢ଼ି ନାହାନ୍ତି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଯଦି ଦିଲ୍ଲୀରେ ଆମର ସରକାର ଅଛି ଏବଂ କେରଳରେ ଆମର ସରକାର ଗଠନ ହୁଏ, ତେବେ ଏହି ସମସ୍ୟାଗୁଡ଼ିକର ଆମେ ସମାଧାନ କରିବୁ’।

ରାହୁଲ ଗାନ୍ଧି କହିଛନ୍ତି ଯେ ‘ଆପଣଙ୍କ ସାଂସଦ ହେବା ମୋ ପାଇଁ ସମ୍ମାନର କଥା । ମୁଁ ଆପଣଙ୍କ ସହିତ ଜଣେ ଭୋଟର ଭଳି ବ୍ୟବହାର କରେ ନାହିଁ କି ଆପଣଙ୍କ ବିଷୟରେ ଚିନ୍ତା କରେ ନାହିଁ । ମୁଁ ଆପଣଙ୍କୁ ସେହିପରି ବ୍ୟବହାର କରେ ଏବଂ ଆପଣଙ୍କ ବିଷୟରେ ଚିନ୍ତା କରେ, ଯେପରି ମୁଁ ମୋ ସାନ ଭଉଣୀ ପ୍ରିୟଙ୍କାଙ୍କ ବିଷୟରେ ଭାବେ । ୱାୟନାଡର ଘରେ ଘରେ ମୋ ଭଉଣୀ, ମା’, ବାପା ଓ ଭାଇ ଅଛନ୍ତି । ଏଥିପାଇଁ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି’ ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ୨୦୧୯ ଲୋକସଭା ନିର୍ବାଚନରେ ମୋଟ ୧୦,୯୨,୧୯୭ ଖଣ୍ଡ ଭୋଟ୍ ମଧ୍ୟରୁ ୭,୦୬,୩୬୭ ଖଣ୍ଡ ଭୋଟ୍ ପାଇଥିଲେ । ଯେତେବେଳେ କି, ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ୟୁନିଷ୍ଟ ପାର୍ଟିର ପି ପି ସୁନୀରଙ୍କୁ ମାତ୍ର ୨,୭୪,୫୯୭ ଖଣ୍ଡ ଭୋଟ୍ ମିଳିଥିଲା । ଚଳିତ ବର୍ଷ କେରଳରେ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୨୬ରେ ମତଦାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.