Below header

ପାଇଲଟ୍‌-ଗେହଲଟ୍‌ ବିବାଦ: ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ

ରାଜସ୍ଥାନ: ପାଇଲଟ୍‌-ଗେହଲଟ୍‌ ବିବାଦରେ ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ। ସଚିନ୍‌ ପାଇଲଟ୍‌ ଓ ତାଙ୍କ ସହଯୋଗୀ ୧୮ବିଧାୟକଙ୍କୁ ବାଚସ୍ପତି ଜାରି କରିଥିବା ଅଯୋଗ୍ୟ ଘୋଷଣା ନୋଟିସ୍‌ ଉପରେ ୧୦ଟା ୩୦ରେ ରାୟ ଶୁଣାଇବେ ହାଇକୋର୍ଟ। ଜୁଲାଇ ୨୪ ପର୍ଯ୍ୟନ୍ତ ପାଇଲଟ୍‌ ଓ ୧୮ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ବାଚସ୍ପତି ସିପି ଯୋଶୀଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍‌କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଟିମ୍‌ ପାଇଲଟ୍‌ । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଥିଲେ ବାଚସ୍ପତି। ଗତକାଲି ଏହି ମାମଲାର ଶୁଣାଣି କରି ରୋକ ଲଗାଇବାକୁ ମନା କରି ଦେଇଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅନ୍ୟପଟେ କରୋନା ସଂକଟ ବେଳେ ରାଜସ୍ଥାନ ସରକାରଙ୍କୁ ଅସ୍ଥିର କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି । ଏଥିସହ ଖୁବ୍‌ ଶୀଘ୍ର ବିଧାନସଭାରେ ଶକ୍ତି ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବେ ବୋଲି କହିଛନ୍ତି। ସେପଟେ ଯଦି ଟିମ୍‌ ସଚିନ୍‌ ପାଇଲଟ୍‌ ମାମଲାରେ ବିଜୟୀ ହୁଅନ୍ତି ଏବଂ ଅଯୋଗ୍ୟତାଠାରୁ ସୁରକ୍ଷା ପାଆନ୍ତି ତେବେ ସେମାନେ କଂଗ୍ରେସ ସରକାରଙ୍କ ବିରୋଧରେ ଭୋଟଦେଇପାରିବେ। ଏହା ଅଶୋକ ଗେହଲଟଙ୍କୁ ରାଜସ୍ଥାନରେ କ୍ଷମତା ବଜାୟ ରଖିବା କଷ୍ଟକର ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.