ପ୍ରଧାନମନ୍ତ୍ରୀ ଥିବା ବେଳେ ଯୁଦ୍ଧ ଜାହାଜ ଆଇଏନଏସ୍‌ ବିରାଟକୁ ବ୍ୟକ୍ତିଗତ ଟ୍ୟାକ୍ସିଭାବେ ବ୍ୟବହାର କରିଥିଲେ ରାଜୀବ ଗାନ୍ଧି : ମୋଦି

ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜୀବ ଗାନ୍ଧୀଙ୍କୁ ନେଇ କଂଗ୍ରେସକୁ ମୋଦିଙ୍କ ଆଟାକ୍‌ । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଗାନ୍ଧୀ ପରିବାର ଯୁଦ୍ଧ ଜାହାଜ ଆଇଏନଏସ୍‌ ବିରାଟକୁ ବ୍ୟକ୍ତିଗତ ଟ୍ୟାକ୍ସି ଭାବେ ବ୍ୟବହାର କରିଥିଲେ । ବୁଧବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଛୁଟି କାଟିବାକୁ ରାଜୀବ ଗାନ୍ଧୀ ଓ ତାଙ୍କ ପରିବାର ଯୁଦ୍ଧପୋତକୁ ବ୍ୟବହାର କରିଥିଲେ । ଏପରିକି ତାଙ୍କ ସଂପର୍କୀୟମାନେ ମଧ୍ୟ ସେତେବେଳେ ଯୁଦ୍ଧ ଜାହାଜରେ ଉପସ୍ଥିତ ଥିଲେ । ଦ୍ୱୀପରେ ୧୦ ଦିନ ପାଇଁ ଯୁଦ୍ଧପୋତ ରହିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି । ତେବେ କଂଗ୍ରେସ ନେତ ପଓ୍ଵନ ଖେରା ଏହା ଉପରେ ସ୍ପଷ୍ଟିକରଣ ରଖିଛନ୍ତି । ଏହା ରାଜୀବ ଗାନ୍ଧିଙ୍କର ଅଫିସିଆଲ ଭିଜିଟ୍‌ ଥିଲା । ଅବସରପ୍ରାପ୍ତ ଭାଇସ ଆଡମିରାଲ ବିନୋଦ ପସ୍ରିଚା ଏହା ସ୍ପଷ୍ଟ କରିଛନ୍ତି ବୋଲି ସେ କହିଛନ୍ତି ।

ମୋଦିଙ୍କ ଅଭିଯୋଗ ପାଲଟା ଅଭିଯୋଗ ଆଣିଛି କଂଗ୍ରେସ । ଭାରତୀୟ ବାୟୁସେନା ବିମାନକୁ ମୋଦି ବ୍ୟକ୍ତିଗତ ଟ୍ୟାକ୍ସି ଭାବେ ବ୍ୟବହାର କରିଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟୋବାଲା କହିଛନ୍ତି ମାତ୍ର ୭୪୪ ଟଙ୍କା ଦେଇ ଭାରତୀୟ ବାୟୁସେନା ଜେଟ୍‌କୁ ନିର୍ବାଚନ ବେଳେ ମୋଦି ଟ୍ୟାକ୍ସି ଭାବେ ବ୍ୟବହାର କରିଛନ୍ତି । ଅନ୍ୟପଟେ ରାଫେଲ ପ୍ରସଙ୍ଗ ଉଠାଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । କହିଛନ୍ତି ମୋତେ ଓ ମୋ ବାପାଙ୍କୁ ଯାହା କହୁଛ କୁହ, କିନ୍ତୁ ରାଫେଲ ପ୍ରସଙ୍ଗରେ ଦେଶବାସୀଙ୍କୁ ଜଣାଅ ବୋଲି ମୋଦିଙ୍କୁ ଆହ୍ଵାନ ଦେଇଛନ୍ତି ରାହୁଲ ।

ଆଉ ଦୁଇ ପର୍ଯ୍ୟାୟ ନିର୍ବାଚନ ବାକି ରହିଥିବା ବେଳେ ମୋଦି ରାଜୀବ ଗାନ୍ଧୀଙ୍କୁ ନିର୍ବାଚନୀ ଅସ୍ତ୍ର କରି କଂଗ୍ରେସକୁ ଟାର୍ଗେଟ୍‌ କରୁଛନ୍ତି । ରାଜୀବ ଗାନ୍ଧୀଙ୍କ ନାଁରେ କଂଗ୍ରେସ ବାକି ଥିବା ଦୁଇ ପର‌୍ୟ୍ୟାୟ ନିର୍ବାଚନ ଲଢୁ ବୋଲି ମୋଦି ଚ୍ୟାଲେଞ୍ଜ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.