ରାଜକୋଟ ଟିଆରପି ଗେମିଂ ଜୋନ୍‌ ନିଆଁ : ଛୁଟିଦିନରେ ୯୯ ଟଙ୍କିଆ ଟିକେଟ ସ୍କିମ, ବାହାରିବାକୁ ଗୋଟିଏ ରାସ୍ତା, ମାଲିକ ଗିରଫ

ଶନିବାର ଛୁଟି ହୋଇଥିବା ଯୋଗୁଁ ଗେମିଂ ଜୋନର ମ୍ୟାନେଜମେଣ୍ଟ ୯୯ ଟଙ୍କିଆ ଏଣ୍ଟ୍ରି ଫି ସ୍କିମ ରହିଥିଲା । ତେଣୁ ଛୁଟିଦିନ ଏବଂ ୯୯ ଟଙ୍କିଆ ଟିକେଟ ସ୍କିମ୍‌ ଯୋଗୁଁ ପ୍ରବଳ ଭିଡ ରହିଥିଲା । ତାହାଛଡା ଲୋକେ ବାହାରିବା ପାଇଁ ଏକମାତ୍ର ବାଟ ରହିଥିଲା । ନିଆଁ ଲାଗିବା ଯୋଗୁଁ ଗୋଟିଏ ବାଟ ଦେଇ ଲୋକେ ବାହାରିପାରିନଥିଲେ ।

ଗୁଜରାଟ ରାଜକୋଟରେ ଟିଆରପି ଗେମ୍‌ ଜୋନରେ ଭୀଷଣ ନିଆଁ ଲାଗିବା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୧୨ ଜଣ ପିଲା ସାମିଲ ରହିଛନ୍ତି । ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଗେମିଂ ଜୋନର ମାଲିକ ଯୁବରାଜ ସିଂ ସୋଲାଙ୍କି । ଗେମିଂ ଜୋନ୍ ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।  ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା । ଏ ସମ୍ପର୍କରେ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ମ୍ୟାନେଜର ନୀତିନ ଜୈନ୍ ଓ ଗେମ୍ ଜୋନର ମାଲିକ ଯୁବରାଜ ସିଂହ ସଲୋଙ୍କି ସାମିଲ ରହିଛନ୍ତି । ଏହି ମାମଲରେ ଗତକାଲି ପୋଲିସ ମାଲିକ ଯୁବରାଜ ସିଂହ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ।

ତେବେ ଗେମିଂ ଜୋନରେ ନିଆଁ ଲାଗିବା ସମୟରେ ବହୁତ ଲୋକ ଉପସ୍ଥିତ ଥିଲେ । ଶନିବାର ଛୁଟି ହୋଇଥିବା ଯୋଗୁଁ ଗେମିଂ ଜୋନର ମ୍ୟାନେଜମେଣ୍ଟ ୯୯ ଟଙ୍କିଆ ଏଣ୍ଟ୍ରି ଫି ସ୍କିମ ରହିଥିଲା । ତେଣୁ ଛୁଟିଦିନ ଏବଂ ୯୯ ଟଙ୍କିଆ ଟିକେଟ ସ୍କିମ୍‌ ଯୋଗୁଁ ପ୍ରବଳ ଭିଡ ରହିଥିଲା । ତାହାଛଡା ଲୋକେ ବାହାରିବା ପାଇଁ ଏକମାତ୍ର ବାଟ ରହିଥିଲା । ନିଆଁ ଲାଗିବା ଯୋଗୁଁ ଗୋଟିଏ ବାଟ ଦେଇ ଲୋକେ ବାହାରିପାରିନଥିଲେ । ଫଳରେ ଏତେ ଜୀବନ ନଷ୍ଟ ହୋଇଗଲା ।

ଗେମିଂ ଜୋନରେ ୧୫୦୦ରୁ ୨୦୦୦ ଲିଟର ଡିଜେଲ ଏବଂ ଗୋ କାର ରେସିଂ ପାଇଁ ୧୦୦୦ରୁ ୧୫୦୦ ଲିଟର ପେଟ୍ରୋଲ ରହିଥିଲା । ତେଣୁ ନିଆଁ ଲାଗିବା ଅତି ଭୟଙ୍କର ହୋଇଥିଲା । ତେବେ ନିଆଁ ଲାଗିବାର ପ୍ରାରମ୍ଭିକ କାରଣ କରେଣ୍ଟ ବୋଲି ଜଣାପଡିଛି । କିନ୍ତୁ ନିଆଁ ଲାଗିବାର ମୁଖ୍ୟ କାରଣ ଜଣାପଡିନାହିଁ । ତଦନ୍ତରୁ ଏହାମଧ୍ୟ ଜଣାପଡିଛି କି, ଗେମିଂ ଜୋନକୁ ଅଗ୍ନିଶମ ବିଭାଗ ଦ୍ୱାରା ଏନଓସି ମିଳିଥିଲା । ଏନଓସି ପାଇଁ କୌଣସି ଆପ୍ଲିକେସନ ମଧ୍ୟ ଦିଆଯାଇନଥିଲା ।

Leave A Reply

Your email address will not be published.