ରବୀନ୍ଦ୍ର ଜାଡେଜାଙ୍କ ବାପା ବିଜେପି ପ୍ରାର୍ଥୀ ବୋହୂ ରିଭାବାଙ୍କୁ ଦେବେନି ଭୋଟ୍‌, କଂଗ୍ରେସକୁ ସମର୍ଥନ କରିବାକୁ କଲେ ଅପିଲ୍; ଜାରି କଲେ ଭିଡିଓ

ଗୁଜରାଟ ବିଧାନସଭା ନିର୍ବାଚନରେ ଜାମନଗର ଉତ୍ତରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ରିଭାବା ଜାଡେଜା । ସେ ହେଉଛନ୍ତି ଜଣାଶୁଣା ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ । ପତ୍ନୀ ରିଭାବାଙ୍କ ପାଇଁ ଜାଡେଜାଙ୍କର ସମର୍ଥନ ରହିଛି । ହେଲେ ତାଙ୍କ ବାପାଙ୍କର ସମର୍ଥନ ମିଳୁନି । ଜାଡେଜାଙ୍କ ବାପା ଏକ ଭିଡିଓ ଜାରି କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଆଉ ଏହାକୁ ନେଇ ଲୋକେ ପରିହାସ କରି ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।
ରବୀନ୍ଦ୍ର ଜାଡେଜାଙ୍କ ବାପା ଜାମନଗରର ଜନତାଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ଭେଟ୍ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ‘ମୁଁ ଅନିରୁଦ୍ଧ ସିଂ ଜାଡେଜା କଂଗ୍ରେସ ପ୍ରାର୍ଥୀ ବିପେନ୍ଦ୍ର ସିଂ ଜାଡେଜାଙ୍କୁ ଭୋଟ୍ ଦେବାକୁ ଅପିଲ୍ କରୁଛି। ସେ ମୋ ସାନଭାଇ ଭଳି। ମୁଁ ବିଶେଷ କରି ରାଜପୁତ ମତଦାତାମାନଙ୍କୁ ବିପେନ୍ଦ୍ର ସିଂଙ୍କୁ ଭୋଟ୍ ଦେବାକୁ ଅପିଲ୍ କରୁଛି’।
ୟୁଥ୍ କଂଗ୍ରେସର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲୁ ଏହି ଭିଡିଓକୁ ସେୟାର କରାଯାଇଛି। ଏଥିରେ ଲେଖାଯାଇଛି କି, ଗୁଜରାଟରେ ରବୀନ୍ଦ୍ର ଜାଡେଜାଙ୍କ ବାପା ନିଜ ବିଜେପି ପ୍ରାର୍ଥୀ ବୋହୂଙ୍କ ବିରୋଧରେ ଫିଲ୍ଡିଂ ଟାଇଟ୍ କରି ଦେଇଛନ୍ତି। ସେ ଲୋକମାନଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ୍ କରିଛନ୍ତି।

ସୂଚନାଥାଉ କି, କ୍ରିକେଟର ରବିନ୍ଦ୍ର ସିଂ ଜାଡେଜା ଜାମନଗରରେ ପତ୍ନୀଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ଅପିଲ୍‌ କରି ଅନେକ ରାଲି କରିଛନ୍ତି। ସେପଟେ ଜାମନଗର ଉତ୍ତରରୁ କଂଗ୍ରେସ ପ୍ରାର୍ଥୀ ବିପେନ୍ଦ୍ର ସିଂ ଜାଡେଜାଙ୍କ ସମର୍ଥନରେ ରବିନ୍ଦ୍ର ଜାଡେଜାଙ୍କ ଭଉଣୀ ନୟନାବା ଜାଡେଜା ପ୍ରଥମରୁ ହିଁ ପ୍ରଚାର ପ୍ରସାରରେ ଲାଗିଛନ୍ତି। ସେ ନିଜ ଭାଉଜ ରିଭାବା ଜାଡେଜାଙ୍କ ବିରୋଧରେ ଖୋଲାଖୋଲି ବୟାନବାଜି କରୁଛନ୍ତି।