ବିବେକ ଅଗ୍ନିହୋତ୍ରୀ ତିଆରି କରିବେ କାଶ୍ମୀର ଫାଇଲ୍ସର ଦ୍ୱିତୀୟ ଭାଗ ‘କାଶ୍ମୀର ଫାଇଲ୍ସ: ଅନ୍‌ରିପୋର୍ଟେଡ୍‌’; କହିଲେ, ‘ସତ ଏବେ ବାକି ଅଛି…’

ବିବେକ ଅଗ୍ନିହୋତ୍ରୀ ନିଜର ଚର୍ଚ୍ଚିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ସିକ୍ୱେଲ ତିଆରି କରିବାକୁ ଘୋଷଣା କରିଛନ୍ତି। ସିକ୍ୱେଲର ନାମ ‘କାଶ୍ମୀର ଫାଇଲ୍ସ: ଅନ୍‌ରିପୋର୍ଟେଡ୍‌’ ହେବ। ସିକ୍ୱେଲ ବିଷୟରେ ଘୋଷଣା କରି ବିବେକ ଅଗ୍ନିହୋତ୍ରୀ କହିଛନ୍ତି କି, ଆମ ପାଖରେ କାଶ୍ମୀର ପଣ୍ଡିତମାନଙ୍କର ଦୁଃଖ ସହ ଜଡ଼ିତ ଏତେ କଥା ଏବଂ କାହାଣୀ ଅଛି, ସେଗୁଡ଼ିକ ଉପରେ ଆହୁରି ୧୦ଟି ଫିଲ୍ମ ତିଆରି କରାଯାଇ ପାରିବ। ପ୍ରଥମେ ମୁଁ କେବଳ ଗୋଟିଏ ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲି, କିନ୍ତୁ ଏବେ ମୁଁ ନିଷ୍ପତ୍ତି ନେଇଛି ଯେ ପୂରା ସତ୍ୟକୁ ସାମ୍ନାକୁ ଆଣିବି। ‘କାଶ୍ମୀର ଫାଇଲ୍ସ: ଅନ୍‌ରିପୋର୍ଟେଡ୍‌’ ଜରିଆରେ ସବୁ କିଛିକୁ ପ୍ରଦର୍ଶନ କରାଯିବ।

ଏକ ଗଣମାଧ୍ୟମ ସହ କଥାବାର୍ତ୍ତାରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ଏବେ ଏହି ମାମଲା କଳାଠାରୁ ଅଧିକ ଦେଶର ସମ୍ମାନର ବିଷୟ ପାଲଟି ଯାଇଛି। ଏମିତିରେ ମୋର ଦାୟିତ୍ୱ ହେଉଛି କି, ମୋ ପାଖରେ ଯାହା ବି ପ୍ରମାଣ ଅଛି, ତାହାକୁ ସମସ୍ତଙ୍କ ସାମ୍ନାକୁ ଅଣାଯାଉ। ଏକ ଇଣ୍ଟରଭ୍ୟୁରେ ଅଗ୍ନିହୋତ୍ରୀ କହିଥିଲେ କି, ଦ କାଶ୍ମୀର ଫାଇଲ୍ସର ଫଲୋଅପ୍‌ ଆହୁରି ଅଧିକ ଡିସ୍‌ରବିଙ୍ଗ୍‌ ହେବ ଏବଂ ସେହି ଲୋକମାନଙ୍କୁ ଏକ୍ସପୋଜ୍‌ କରିବ।

କହି ରଖୁଛୁ, ଦ କାଶ୍ମୀର ଫାଇଲ୍ସ ପ୍ରଥମରୁ ହିଁ ବିବାଦ ଘେରରେ ରହିଛି। ଏଥିରେ ଦେଖାଯାଇଥିବା ହିନ୍ଦୁମାନଙ୍କର ନରସଂହାରକୁ ଅନେକ ଲୋକ ଭୁଲ୍‌ ବୋଲି କହିଥିଲେ। ନିକଟରେ ଗୋଆରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ମୁଖ୍ୟ ନଦାଭ ଲାପିଡ୍‌ ଫିଲ୍ମକୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ। ସେ ଫିଲ୍ମକୁ ଅଶ୍ଳୀଳ ଏବଂ ପ୍ରଚାରଭିତ୍ତିକ ବୋଲି କହିଥିଲେ। ସେ ଆହୁରି କହିଥିଲେ କି, ଏହି ଫିଲ୍ମରେ ସରକାରଙ୍କ ନୀତିଗୁଡ଼ିକୁ ବଢ଼ାଇ ଚଢ଼ାଇ ଦେଖାଯାଇଛି ଏବଂ ସବୁକିଛି ଏକତରଫା ରହିଛି।

ସେପଟେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନଦାଭଙ୍କ ବୟାନକୁ ‘ଟୁଲକିଟ୍‌ ଗ୍ୟାଙ୍ଗ୍‌’ର ଷ୍ଟ୍ରାଟେଜି ବୋଲି କହିଛନ୍ତି। ତାଙ୍କ କହିବା ହେଲା କି, ବର୍ଷ ୨୦୨୪ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜାଣିଶୁଣି ଏମିତି ବୟାନ ଦିଆଯାଇଛି। ଏଥି ସହିତ ସେ ନଦାଭଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଥିଲେ କି, ଯଦି ସେ ଫିଲ୍ମର ଗୋଟିଏ ବି ଦୃଶ୍ୟକୁ ନକଲି ବୋଲି ପ୍ରମାଣ କରି ଦିଅନ୍ତି, ତ ସେ ଫିଲ୍ମ ନିର୍ମାଣ କରିବା ଛାଡ଼ିଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.