ଲକ୍ଷ୍ନୌ: ହଠାତ୍‌ ଫାଟିଗଲା ରାସ୍ତା, ୨୦ ଫୁଟ୍‌ ଗଭୀର ଗର୍ତ୍ତରେ ଝୁଲି ରହିଲା କାର୍‌

ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ବିକାଶ ନଗରର ସେକ୍ଟର-୪ରେ ପ୍ରବଳ ବର୍ଷା ଯୋଗୁ ପ୍ରାୟ ୨୦ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି ।

ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ବିକାଶ ନଗରର ସେକ୍ଟର-୪ରେ ପ୍ରବଳ ବର୍ଷା ଯୋଗୁ ପ୍ରାୟ ୨୦ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତା ଯେତେବେଳେ ଧସିଥିଲା, ସେହି ସମୟରେ ଯାଉଥିବା ଏକ କାର୍‌ ଗର୍ତ୍ତରେ ଫସି ଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ଅଞ୍ଚଳକୁ ସିଲ୍‌ କରିଦେଇଛି । ଏହାସହିତ କ୍ରେନ୍‌ କର୍ମୀମାନଙ୍କୁ ଘଟଣାସ୍ଥଳକୁ ଡକାଇଛି । ପୋଲିସ ଚାଳକଙ୍କ ସହ କାର୍‌କୁ କ୍ରେନ୍‌ ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।

ରିପୋର୍ଟ ମୁତାବକ, ଲକ୍ଷ୍ନୌରେ ରବିବାର ଦ୍ୱିପ୍ରହରରେ ପ୍ରବଳ ବର୍ଷା ହୋଇଥିଲା, ଯାହାପରେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା । ଏହି ସମୟରେ ବିକାଶ ନଗରର ସେକ୍ଟର-୪ରେ ଥିବା ରାସ୍ତା ଧସି ଯାଇଥିଲା । ଫଳରେ ରାସ୍ତାରେ ୨୦ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି ସମୟରେ ରାସ୍ତାରେ ଯାଉଥିବା ଲାଲ୍‌ ରଙ୍ଗର ଏକ କାର୍‌ ଏଥିରେ ଫସିଯାଇଥିଲା ।

ଘଟଣା ବିଷୟରେ ଖବର ପାଇ ପିଡବ୍ଲ୍ୟୁଡି ବିଭାଗର ଅଧିକାରୀମାନେ ପହଞ୍ଚିଛନ୍ତି । ଦ୍ୱିପ୍ରହର ସାଢ଼େ ୨ଟାରେ ଏହି ଘଟଣା ଘଟିଥିଲା । କାର୍‌ର ପଛପାର୍ଶ୍ୱ ଗର୍ତ୍ତ ଆଡ଼କୁ ଢଳି ରହିଥିବା ବେଳେ ଆଗପାର୍ଶ୍ୱ ରାସ୍ତା ଉପରେ ରହିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତା ଧସିବା ବେଳେ ଭୂମିକମ୍ପ ଭଳି ଶବ୍ଦ ଶୁଣାଯାଇଥିଲା । ସୌଭାଗ୍ୟର କଥା, ଏହି ସମୟରେ ଅନ୍ୟ କୌଣସି ଗାଡ଼ି ସେହି ବାଟ ଦେଇ ଯାଉ ନ ଥିଲା । ତେବେ ୨୦୨୨ରେ ମଧ୍ୟ ଏହିଭଳି ଏକ ଘଟଣା ଏଠାରେ ଦେଖିବାକୁ ମିଳିଥିଲା । ସେହି ସମୟରେ ୩ରୁ ୪ ଜଣ ଲୋକ ଗର୍ତ୍ତରେ ପଡ଼ିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.