୧୩ ଦିନରେ ରୁଷ୍-ୟୁକ୍ରେନ୍ ଲଢ଼େଇ: ସୁମିରେ ୨ ଶିଶୁଙ୍କ ସମେତ ୨୧ ସାଧାରଣ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୧୩ ଦିନରେ ରୁଷ-ୟୁକ୍ରେନ୍ ଲଢ଼େଇ । ବଢ଼ୁଛି ଯୁଦ୍ଧର ବିଭୀଷିକା । ମାଟିରେ ମିଶୁଛି ଗୋଟିଏ ପରେ ଗୋଟିଏ ସହର । ବଳିପଡୁଛନ୍ତି ସାଧାରଣ ଲୋକ । ଆଜି ପୂର୍ବ ଓ ମଧ୍ୟ ୟୁକ୍ରେନ୍ରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍ ସେନା । ସୁମିରେ ୨୧ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି । ତେବେ ୫ଟି ସହରରେ ସାଧାରଣ ନାଗରିକଙ୍କ ଉଦ୍ଧାର ପାଇଁ ପୁଣି ଥରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ସେପଟେ ୧୩ଦିନର ଯୁଦ୍ଧରେ ରୁଷ୍ର ୧୨ ହଜାର ସୈନ୍ୟଙ୍କୁ ମାରିଥିବା ଦାବି କରିଛି ୟୁକ୍ରେନ୍।
ସେହିପରି ବିଭିନ୍ନ ସହରରେ ବର୍ତ୍ତମାନ ଗ୍ୟାସ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ୍ ଆଦି ବାଧାପ୍ରାପ୍ତ ମଧ୍ୟ ହୋଇଛି । ତେବେ ୟୁକ୍ରେନରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାଏଁ ୨୦୨ଟି ସ୍କୁଲ୍, ୩୪ଟି ହସ୍ପିଟାଲ୍ ଏବଂ ୧୫୦୦ରୁ ଅଧିକ ରେସିଡେଣ୍ଟାଲ୍ ବିଲ୍ଡିଂ ମାଟିରେ ମିଶିଯାଇଛି । ରାଜଧାନୀ କିଭ୍ ର ମଧ୍ୟ ଏକାଧିକ ଶିକ୍ଷାନୁଷ୍ଠାନ ମିସାଇଲ୍ ଓ ରକେଟ୍ ମାଡ଼ରେ ଧ୍ୱଂସ ହୋଇଯାଇଛି ।