Below header

ଖ୍ରୀଷ୍ଟମାସ ପୂର୍ବରୁ ‘ସାନ୍ତା କ୍ଲଜ୍‌’ ଉପରେ ମରଣାନ୍ତକ ଆକ୍ରମଣ; ଆକ୍ରମଣକାରୀ ଫାଡ଼ିଦେଲେ ପୋଷାକ, ୪ ଗୁରୁତର

ଗୁଜରାଟର ଭଡୋଦରାରେ ସାନ୍ତା କ୍ଲଜ୍‌ ଗେଟ୍‌ଅପରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କିଛି ଯୁବକ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛନ୍ତି। ଖବରରୁ ଜଣାପଡ଼ିଛି, ସହରର ମକରପୁରା ଅଞ୍ଚଳରେ ଥିବା ଅବଧୂତ ସୋସାଇଟିରେ ଏକ କ୍ରିସ୍‌ମାସ ଅଭିନନ୍ଦନ ସମାରୋହ ଚାଲିଥିଲା। ସମାରୋହ ପୂର୍ବରୁ ସାନ୍ତା କ୍ଲଜ୍‌ ବେଶରେ ୪ ଜଣ ମହିଳା ଏବଂ ପୁରୁଷ ସେଠାରେ ପହଞ୍ଚିଥିଲେ।

ହେଲେ ଏହି ସମୟରେ କିଛି ଯୁବକ ସେଠି ପଶି ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ଯୁବକଙ୍କ କହିବା ହେଲା, ଏହା ସେମାନଙ୍କର ଜାଗା। ଆକ୍ରମଣରେ ସାନ୍ତା କ୍ଲଜ୍‌ ବେଶଧାରୀ ଜଣେ ବ୍ୟକ୍ତିଙ୍କ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ଅଜଣା ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି।

ସୂଚନା ମୁତାବକ, ସାନ୍ତା କ୍ଲଜ୍‌ ବେଶରେ ଶଶିକାନ୍ତ ଡାଭି ନାମକ ବ୍ୟକ୍ତି ଅବଧୂତ ସୋସାଇଟିରେ ରହୁଥିବା ଏକ ଖ୍ରୀଷ୍ଟିୟାନ ପରିବାରକୁ କ୍ରିସ୍‌ମାସର ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ। ଶଶିକାନ୍ତଙ୍କ ସହ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର କିଛି ନେତା ମଧ୍ୟ ଅଭିନନ୍ଦନ ଜଣାଇବାକୁ ପହଞ୍ଚିଥିଲେ। ଯେତେବେଳେ ସମସ୍ତେ ମିଶି ସେଠାରେ ଶାନ୍ତପୂର୍ବକ ଉତ୍ସବ ପାଳନ କରୁଥିଲେ, ସେହି ସମୟରେ କିଛି ଲୋକ ହଠାତ୍‌ ଘର ଭିତରେ ପଶି ଉତ୍ସବକୁ ରୋକି ଦେଇଥିଲେ। ଏଥି ସହିତ ସାନ୍ତା କ୍ଲଜ୍‌ ବେଶରେ ସଜେଇ ହୋଇଥିବା ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ, ଯଦ୍ଦ୍ଵାରା ସେ ନିଜ ପୋଷାକ ଖୋଲିବାକୁ ବାଧ୍ୟ ହୋଇଥିଲେ।

ସୂଚନା ମୁତାବକ, ଆକ୍ରମଣକାରୀ ମାନେ ଉତ୍ସବରେ ସାମିଲ ହୋଇଥିବା ଲୋକଙ୍କୁ ନାନା ଧମକ ଚମକ ଦେଇଥିଲେ ଏବଂ କହିଥିଲେ କି, ଏହା ଆମ ଅଞ୍ଚଳ। ଏଠାରେ ଏହି ପ୍ରକାରର ଆୟୋଜନ କେହି କରି ପାରିବେ ନାହିଁ। ତେବେ ଏହି ସମୟରେ ହୋଇଥିବା ମାରପିଟରେ ୪ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ କିଛି ଲୋକଙ୍କ କପଡ଼ା ମଧ୍ୟ ଫାଡ଼ି ଦେଇଥିବା ଅଭିଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.