ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଫି’ ଛାଡ଼ ମାମଲାକୁ ସୁପ୍ରିମ୍‌କୋର୍ଟ କଲେ ଖାରଜ

ନୂଆଦିଲ୍ଲୀ : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଫି’ ଛାଡ଼ କରିବା ନେଇ ଦିଲ୍ଲୀ ସରକାର ସୁପ୍ରିମ୍‌କୋର୍ଟରେ କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । କୋଭିଡ୍‌ ମହାମାରୀ ଯୋଗୁ ଲୋକେ କର୍ମ ସଂସ୍ଥାନ ହରାଇ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ଏହି ଫି’ ଛାଡ଼ ନେଇ ସୁପ୍ରିମ୍‌କୋର୍ଟରେ ମାମଲା ଦାଏର ହୋଇଥିଲା ।

ଅଶୋକ ଭୁଷଣ, ଆର୍‌ ସୁବାଷ ରେଡ୍ଡି ଓ ଏମ୍‌ ଆର୍‌ ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କୋର୍ଟ କିପରି ଏ ସମ୍ପର୍କରେ ସରକାରଙ୍କୁ ନିର୍ଦ୍ଦେଶ ଦେବେ । ଏକ ଏନ୍‌ଜିଓ ପକ୍ଷରୁ ଦାଏର କରାଯାଇଥିବା ପିଟିସନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ । ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଆଇନ ଓ ନିୟମ ଅନୁଯାୟୀ ସରକାର ଏ ସମ୍ପର୍କରେ ନିଷ୍ପତି ନେବେ ।

cbse_dehradun_school

ଦିଲ୍ଲୀ ହାଇକୋର୍ଟର ସେପ୍ଟେମ୍ବର ୨୮ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏନ୍‌ଜିଓ ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ବିଭିନ୍ନ ଦିଗକୁ ତର୍ଜମା କଲା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଫି’ ଛାଡ଼ କରିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଡ୍‌ଭୋକେଟ୍‌ ଅଶୋକ ଅଗ୍ରଓ୍ଵାଲ୍‌ ଯୁକ୍ତି ବାଢ଼ିଥିଲେ ଯେ ହାଇକୋର୍ଟ ଦେଶର ୩୦ ଲକ୍ଷ ଛାତ୍ରଙ୍କ ଫି’ ଛାଡ କରିବାକୁ ମନା କରିଦେଇଛନ୍ତି । ତେବେ ଲକ୍‌ଡାଉନ୍‌ ଓ କରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ବହୁତ ପରିବାରଙ୍କ ପାଇଁ ଦୁଇ ଓଳି ଖାଇବା ବି କଷ୍ଟକର ହୋଇ ପଡ଼ିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ପିଲାଙ୍କ ଫି’ ଭରଣା କରିବାକୁ ଆଡ୍‌ଭୋକେଟ୍‌ ପରମର୍ଶ ଦେଇଥିଲେ ।

 

 

 

Leave A Reply

Your email address will not be published.