ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ୍: ଅପରାହ୍ନ ୩ଟାରେ ପ୍ରେସମିଟରେ ତାରିଖ ଘୋଷଣା
ନୂଆଦିଲ୍ଲୀ:ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ୍ । ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନ । ଅପରାହ୍ନ ୩ଟାରେ ପ୍ରେସମିଟରେ ତାରିଖ ଘୋଷଣା ହେବ । ଜୁଲାଇ ୨୫ ତାରିଖରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତାଙ୍କ ପରେ କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଆଜି ତାରିଖ ଘୋଷଣା ସହ ପ୍ରାର୍ଥୀ ଚୟନ କସରତ ଜୋରଦାର ହେବ । ଏନ୍ଡିଏ ଓ ବିଜେପି ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ, ତାଉପରେ ନଜର ରହିଛି ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ସଂଖ୍ୟକ ନମ୍ବର ଏନଡିଏ ପାଖରେ ନାହିଁ । ବିଜେପି ଓ ତାଙ୍କ ସହଯୋଗୀ ଦଳଗୁଡ଼ିକର ୪୮.୯ ପ୍ରତିଶତ ଭୋଟ୍ ରହିଛି । କଂଗ୍ରେସ ଓ ବିଜେପି ବିରୋଧୀ ଦଳଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ୍ । ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ପାଖରେ ୨.୨ ପ୍ରତିଶତ କମ୍ ଭୋଟ୍ ରହିଛି ।
କଂଗ୍ରେସ ପାଖରେ ୨୧.୯% ଭୋଟ୍ ଥିବା ବେଳେ ଅନ୍ୟ ବିଜେପି ବିରୋଧୀ ଦଳଗୁଡ଼ିକ ପାଖରେ ରହିଛି ୧୯.୭ ପ୍ରତିଶତ ଭୋଟ୍ । ଆଉ କିଛି ଆଞ୍ଚଳିକ ଦଳ ପାଖରେ ରହିଛି ୯. ୫ ପ୍ରତିଶତ ଭୋଟ୍ ରହିଛି । ଏଭଳି ସ୍ଥିତିରେ ନିର୍ଣ୍ଣାୟକ ଭୂମିକାରେ ନିଭାଇବେ ବିଜେଡି, ଓ୍ଵାଇଏସଆଇ କଂଗ୍ରେସ ଓ ଟିଆରଏସ୍ । ଏମାନଙ୍କ ମଧ୍ୟରୁ କିଛି ଦଳ ବିଜେପିକୁ ସମର୍ଥନ ଦେଇପାରନ୍ତି ।