ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ମୃତ୍ୟୁ ମାମଲା: ପୋଲିସର ଖୁଲାସା, ମୃତ୍ୟୁ ପୂର୍ବରୁ ଛାତ୍ରଙ୍କୁ ଉଲଗ୍ନ କରି ୟୁନିଭରସିଟିରେ ଦୌଡାଇଥିଲେ ସିନିଅର

ପଶ୍ଚିମବଙ୍ଗର କୋଲକତା ସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ମୃତ୍ୟୁ ମାମଲାରେ ପୋଲିସକୁ ନୂଆ ତଥ୍ୟ ମିଳିଛି । ସିନିଅରଙ୍କ ର‍୍ୟାଗିଂରେ ଅତିଷ୍ଠ ଥିଲେ ମୃତ ଛାତ୍ର । ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରେ ଉଲଗ୍ନ କରି ବୁଲାଇବା ସହିତ ନିର୍ଯାତନା ଦେଉଥିଲେ ସିନିଅର । ପୋଲିସ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରିଛି ।

ପଶ୍ଚିମବଙ୍ଗର କୋଲକତା ସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଛାତ୍ର ଜଣକ ବାଲକୋନୀରୁ ଡେଇର୍ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ଛାତ୍ରଙ୍କୁ କଲେଜରେ ସିନିଅରମାନେ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥିଲେ । ସଂପୂର୍ଣ୍ଣ ଭାବେ ନିବସ୍ତ୍ର କରି ସଂପୂର୍ଣ୍ଣ ହଷ୍ଟେଲରେ ଦୌଡାଇଥିଲେ । ଏହି ଘଟଣା ବିଷୟରେ ଜଣାପଡିବା ପରେ ପୋଲିସ ୧୩ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବର୍ତ୍ତମାନ ଏବଂ ପୂର୍ବତନ ଛାତ୍ର ରହିଛନ୍ତି ।

ଖବର ମୁତାବକ, ଅଗଷ୍ଟ ୯ ତାରିଖରେ ରାତିରେ ଛାତ୍ର ହଷ୍ଟେଲର ଦ୍ୱିତୀୟ ମହଲା ବାଲକୋନୀରୁ ପଡିଯିବାରୁ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମୃତ ଛାତ୍ରଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ପରେ ମାମଲାର ଯାଞ୍ଚ କରିଥିଲା । ପ୍ରାଥମିକ ଯାଞ୍ଚରୁ ପୋଲିସ ଜାଣିବାକୁ ପାଇଲା କି, ମୃତ ପୂର୍ବରୁ ଛାତ୍ର ଜଣକ ନିର୍ଯାତନାର ଶିକାର ହୋଇଥିଲେ ।

ମୃତ ପୂର୍ବରୁ ସିନିଅର ଛାତ୍ର ର‍୍ୟାଗିଂ କରିଥିଲେ । ଛାତ୍ର ଜଣକ ସିନିଅର ର‍୍ୟାଗିଂକୁ ବିରୋଧ କରୁଥିଲେ । ଏଥିରେ ନାରାଜ ହୋଇ ସିନିଅର ଛାତ୍ରଙ୍କୁ ଅଧିକ ନିର୍ଯାତନା ଦେଉଥିଲେ । ପୀଡିତ ଛାତ୍ରଙ୍କୁ ସିନିଅର ହଷ୍ଟେଲର ରୁମ ନଂ ୭୦କୁ ଡାକି ଜୋର ଜବରଦସ୍ତି ଉଲଗ୍ନ କରି ହଷ୍ଟେଲରେ ବୁଲାଇଥିଲେ । ମାରପିଟ କରିଥିଲେ । ତେବେ ଛାତ୍ର ଜଣକ ବାଲକୋନୀରେ ଡେଇଁ ପଡିଥିଲେ କି ତାଙ୍କୁ ଧକ୍କା ଦିଆଯାଇଥିଲା, ତାହାର ତଦନ୍ତ ପୋଲିସ କରୁଛି ।

ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଅଭିଜିତ ଚକ୍ରବର୍ତ୍ତୀ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି, ୨୦୧୪ରେ କଲେଜ କ୍ୟାମ୍ପସରେ ଏଭଳି ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ସେ ସମୟରେ ହିଂସାକୁ ରୋକିବା ପାଇଁ କଲେଜରେ ପ୍ରତି ଅନୁକୋଣରେ ସିସିଟିଭି ଲଗାଇବା ପାଇଁ ଯୋଜନା ହୋଇଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟ ପ୍ରଶାସନରେ କିଛି ପ୍ରଭାବଶାଳୀ ଲୋକ ଥିଲେ, ଯେଉଁମାନେ ଏଭଳି ହେବାକୁ ଦେଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.