ଉଜ୍ଜୈନ: ମହାକାଳ ମନ୍ଦିରରେ ନିଆଁରେ ପୋଡ଼ି ଯାଇଥିବା ସେବକଙ୍କ ୧୫ ଦିନ ପରେ ମୃତ୍ୟୁ, ମୁମ୍ବାଇର ହସ୍ପିଟାଲରେ ବୁଜିଲେ ଆଖି

ଉଜ୍ଜୈନ ମହାକାଳ ମନ୍ଦିରରେ ନିଆଁରେ ପୋଡ଼ି ଯାଇଥିବା ସେବକଙ୍କ ୧୫ ଦିନ ପରେ ମୃତ୍ୟୁ ଘଟିଛି । ମନ୍ଦିର ଗର୍ଭଗୃହରେ ଲାଗିଥିବା ନିଆଁରେ ପୋଡ଼ି ହୋଇ ସେବକ ସତ୍ୟନାରାୟଣ ସୋନି ଗୁରୁତର ଆହତ ହୋଇଥିଲେ ।

ଉଜ୍ଜୈନ ମହାକାଳ ମନ୍ଦିରରେ ନିଆଁରେ ପୋଡ଼ି ଯାଇଥିବା ସେବକଙ୍କ ୧୫ ଦିନ ପରେ ମୃତ୍ୟୁ ଘଟିଛି । ମନ୍ଦିର ଗର୍ଭଗୃହରେ ଲାଗିଥିବା ନିଆଁରେ ପୋଡ଼ି ହୋଇ ସେବକ ସତ୍ୟନାରାୟଣ ସୋନି ଗୁରୁତର ଆହତ ହୋଇଥିଲେ । ଆଜି ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମାର୍ଚ୍ଚ ୨୫ ତାରିଖ ହୋଲି ଦିନ ମହାକାଳ ମନ୍ଦିର ଗର୍ଭଗୃହରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା, ଯାହା ସଂସ୍ପର୍ଶରେ ଆସି ୧୪ ଜଣ ଲୋକ ଆହତ ହୋଇଥିଲେ ।

ଆହତମାନଙ୍କ ମଧ୍ୟରେ ମନ୍ଦିରର ପୂଜାରୀ, ସେବକ ଏବଂ କର୍ମଚାରୀ ଥିଲେ । ସମସ୍ତେ ଭସ୍ମ ଆଳତି ବେଳେ ଗର୍ଭଗୃହରେ ଉପସ୍ଥିତ ଥିଲେ । ଏବେ ଦୁର୍ଘଟଣାର ୧୫ ଦିନ ପରେ ଆହତ ସେବକ ସତ୍ୟନାରାୟଣ ସୋନି ହସ୍ପିଟାଲରେ ଆଖି ବୁଜିଛନ୍ତି । ତାଙ୍କୁ ପ୍ରଥମେ ଇନ୍ଦୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରି ଦିଆଯାଇଥିଲା ।

ସୂଚନାଥାଉ କି, ହୋଲି ଦିନ ସକାଳ ୫ଟା ୫୦ ମିନିଟ୍‌ରେ ମନ୍ଦିର ଗର୍ଭଗୃହରେ ନିଆଁ ଲାଗିଥିଲା । ସେହି ସମୟରେ ପୂଜା ଥାଳି ଉପରେ ଅବିର ପଡ଼ିଯାଇଥିଲା, ଯେଉଁଥିରେ ଜଳନ୍ତା କର୍ପୂର ଥିଲା । ପରେ ଏହା ଚଟାଣରେ ବ୍ୟାପିଯିବାରୁ ନିଆଁ ଉଗ୍ରରୂପ ଧାରଣ କରିଥିଲା । ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା ।

ମନ୍ଦିରର ଜଣେ ପୂଜାରୀ କହିଥିଲେ ଯେ ହୋଲି ଅବସରରେ ଏକ ରୀତିନୀତି ଅଧୀନରେ ଅବିର ପିଙ୍ଗାଯିବା ପରେ ନିଆଁ ଲାଗିଥିଲା । ଏଥିରେ ପୂଜାରୀ, ସେବକ ଏବଂ କର୍ମଚାରୀ ପୋଡ଼ି ହୋଇ ଯାଇଥିଲେ । ଏହି ଘଟଣା ସମୟରେ ଗର୍ଭଗୃହ ସମ୍ମୁଖ ନନ୍ଦୀ ହଲ୍‌ରେ କିଛି ଭିଭିଆଇପିଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । କିନ୍ତୁ ଶ୍ରଦ୍ଧାଳୁଙ୍କ ମଧ୍ୟରୁ କେହି ବି ନିଆଁ ସଂସ୍ପର୍ଶରେ ଆସି ନ ଥିଲେ ।

ସେପଟେ ମହାକାଳ ମନ୍ଦିରରେ ନିଆଁ ଲାଗିବାର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭୋପାଳରେ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ । ସିଏମ୍‌ ଇନ୍ଦୋରରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହୋଇଥିଲେ । ଏହାପରେ ହସ୍ପିଟାଲରେ ଆହତମାନଙ୍କୁ ଭେଟି କଥାବାର୍ତ୍ତା କରିଥିଲେ । ଆହତମାନଙ୍କ ଚିକିତ୍ସା ପାଇଁ ୧-୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.