କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିପାରନ୍ତି ଶଶୀ ଥରୁର, ଗାନ୍ଧୀ ପରିବାରରୁ କେହି ହେବେନି ପ୍ରତିଦ୍ୱନ୍ଦ୍ୱୀ

କଂଗ୍ରେସରେ ଅଧ୍ୟକ୍ଷ ପଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଏ କଂଗ୍ରେସର ନୂଆ ଅଧ୍ୟକ୍ଷ ହେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ରେସ୍‌ରେ ଅଛନ୍ତି ସାଂସଦ ଶଶୀ ଥରୁର୍‌। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଧ୍ୟକ୍ଷ ପଦ ପାଇଁ ଥରୁର୍‌ ହିଁ ଉପଯୁକ୍ତ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ଶଶୀ ଥରୁର ଖୁବ୍‌ ଶୀଘ୍ର ଏନେଇ ନିଷ୍ପତ୍ତି ନେଇପାରନ୍ତି। ତେବେ ନିକଟରେ ଏଥିପାଇଁ ସେ ମନା କରି ଦେଇଥିଲେ। ଶଶୀ ଅଧ୍ୟକ୍ଷ ପଦ ପାଇଁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେବା ପରେ କଂଗ୍ରେସରେ ବି ଏ ନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ ଗାନ୍ଧୀ ପରିବାର ପକ୍ଷରୁ ଯଦି କେହି ଲଢ଼େ ତେବେ ସେ ନିର୍ବାଚନରେ ଲଢ଼ିନପାରନ୍ତି ବୋଲି କୁହାଯାଉଛି।

୨୦୦୯ ମସିହାରେ ଥରୁର୍‌ କଂଗ୍ରେସରେ ଯୋଗ ଦେଇଥିଲେ। କେରଳର ତିରୁଭନ୍ତପୁରମରୁ ସାଂସଦ ହେବା ପରେ ୟୁପିଏ ସରକାର ଅମଳରେ ଥରୁର୍‌ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପତ୍ନୀ ସୁନନ୍ଦା ପୁଷ୍କର ଆତ୍ମହତ୍ୟା ଘଟଣାରେ ସେ ବିବାଦୀୟ ହୋଇଥିଲେ। ଅନ୍ୟପଟେ ଦଳର ଅନେକ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଛନ୍ତି। ରାହୁଲ କିନ୍ତୁ ଏଥିପାଇଁ ମନା କରି ସାରିଛନ୍ତି। ତେଣୁ ଶଶୀ ଥରୁର୍‌ କଂଗ୍ରେସ ଅଧ୍ୟକ୍ଷ ହେବାର ସମ୍ଭାବନା ରହିଛି।

ସୂଚନା ଯୋଗ୍ୟ ଯେ ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ। ଅଧ୍ୟକ୍ଷ ପଦ ଲାଗି ସେପ୍ଟେମ୍ବର ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୨୪ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଅକ୍ଟୋବର ୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଅକ୍ଟୋବର ୧୭ ତାରିଖରେ ଭୋଟିଂ ହେବ ଏବଂ ୧୯ ତାରିଖରେ ଗଣନା ହେବ। ପ୍ରକାଶ ଯେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡ଼ିବା ପରଠାରୁ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଅଛନ୍ତି।

Also Read: ଜାଣନ୍ତୁ, ଆଜି ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.