ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଲିଖିତ ଭାବେ ବିଜେପିକୁ ୫୦-୫୦ ଫର୍ମୁଲା ମନେପକାଇଲା ଶିବସେନା
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବ। ବିଧାନସଭା ନିର୍ବାଚନ ପରେ ବିଜେପିକୁ ଶିବସେନା ଫିପଟି-ଫିପଟି ଫର୍ମୁଲା ମନେ ପକାଇଦେଇଥିବା ବେଳେ ବର୍ତ୍ତମାନ ଏହା ଲିଖିତ ଆକାରରେ ଦାବି କରିଛି। ସେପଟେ ଆଜି ବିଜେପି ଓ ଶିବସେନାର ପ୍ରତିନିଧି ମଣ୍ଡଳ ଅଲଗା ଅଲଗା ଭାବେ ରାଜ୍ୟପାଳ ଭଗତ ସିଂହ କୋସିଆରୀଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଦାବି ଜଣାଇଥିବା କୁହାଯାଇଛି।
ପ୍ରଥମେ ଶିବସେନା ନେତା ଦିବାକର ରାଉତ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ରାଜ୍ୟପାଳଙ୍କୁ ଭେଟିଛନ୍ତି। ତେବେ ଉଭୟ ରାଜନୈତିକ ଦଳ ଏହାକୁ ଅନୌପଚାରିକ ସାକ୍ଷାତ ବୋଲି କହିଛନ୍ତି। ଦୁଇ ଦଳ ମଧ୍ୟରେ ରାଜନୈତିକ ସମୀକରଣ ସମାଧାନ ହେଉନଥିବା ବେଳେ ଛୋଟ ଦଳମାନଙ୍କ ସମର୍ଥନ ଜୁଟାଇବାରେ ଲାଗିଛି ଶିବସେନା। ଗତ କାଲି ପାଞ୍ଚଜଣ ସ୍ୱାଧୀନ ବିଧାୟକ ଶିବସେନାକୁ ସମର୍ଥନ ଦେଇଛନ୍ତି। ସେପଟେ ମୀରା- ଭୟନ୍ଦରର ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଇଛି।
ସେପଟେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି ସହ ସହମତି ହୋଇନପାରିଲେ ସରକାର ଗଠନରେ ଏନସିପି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ଏନେଇ ଶିବସେନାର ମୁଖପତ୍ର ସାମନାରେ ବିଜେପି ସରକାରକୁ ଜୋରଦାର ସମାଲୋଚନା କରାଯାଇଛି।