୩୦୦ ଫୁଟ୍‌ ଗଭୀର ବୋରୱେଲ ଭିତରେ ୬ ବର୍ଷର ଶିଶୁ, ଅକ୍ସିଜେନ୍‌ ପଠାଇଲେ ଉଦ୍ଧାରକାରୀ ଟିମ୍‌

ପଞ୍ଜାବ: ପଞ୍ଜାବର ହୁସିଆରପୁରରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ୬ ବର୍ଷର ରିତିକ୍ ବୋରୱେଲ ଗାତରେ ଗଳି ପଡ଼ିଛି। ଏହି ପିଲାଟି ବୁଲା କୁକୁରଙ୍କ ଦାଉରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ପାଦ ଖସି ଯିବାରୁ ବୋରୱେଲରେ ଗଳି ପଡ଼ିଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍‌କ୍ୟୁ ଅପରେସନ୍‌ ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ମିଳିଥିବା ଖବର ମୁତାବକ, ଏବେ ପିଲାଟି ନିକଟକୁ ଅକ୍ସିଜେନ୍‌ ପଠାଯାଇଛି। ଫଳରେ ଗାତ ଭିତରେ ତା ନିଃଶ୍ୱାସ ନେବାରେ କୌଣସି ସମସ୍ୟା ହେବ ନାହିଁ।

ରିପୋର୍ଟ ମୁତାବକ, ବୋରୱେଲ ପାଖାପାଖି ୩୦୦ ଫୁଟ୍‌ ଗଭୀର ଥିବା ବେଳେ ପିଲାଟି ୨୦୦ ଫୁଟ୍‌ ତଳକୁ ଯାଇ ଫସି ରହିଛି। ଆଗକୁ ଗାତ ସରୁ ଥିବାରୁ ସେ ମଝିର ହିଁ ଲାଖି ରହିଛି। ପିଲାଟିକୁ ବଞ୍ଚାଇବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ବୋରୱେଲକୁ ଖୋଲା ଛାଡ଼ି ଦିଆଯାଇଥିଲା। ସେହି ସମୟରେ ପାଖରେ ଯାଉଥିବା ପିଲାଟିକୁ ବୁଲା କୁକୁର ଗୋଡ଼ାଇଥିଲେ। ସେ ଜୀବନ ବିକଳରେ ଦୌଡ଼ୁଥିବା ବେଳେ ନିୟନ୍ତ୍ରଣ ହରାଇ ବୋରୱେଲ ଭିତରେ ଗଳି ପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାତଟି ଗଭୀର ଥିବାରୁ ସଫଳ ହୋଇନଥିଲେ। ଏଣୁ ସେମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗ ମଧ୍ୟ ଅସଫଳ ହେବାରୁ ବାଧ୍ୟ ହୋଇ ରେସ୍‌କ୍ୟୁ ପାଇଁ ସେନା ବାହିନୀକୁ ଡାକିବାକୁ ପଡ଼ିଥିଲା। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି।

ସ୍ଥାନୀୟ ଅଫିସରଙ୍କ ସୂଚନା ମୁତାବକ, ହୁସିଆରପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ ଏହି ଅଭାବନୀୟ ଘଟଣା ଘଟିଛି। ପିଲାଟି ରବିବାର ସକାଳ ୯ଟା ବେଳେ ବୋରୱେଲ ଭିତରକୁ ଖସି ପଡ଼ିଥିଲା। ଏବେ ତା’ ପାଖକୁ ଅକ୍ସିଜେନ୍‌ ପଠାଯାଇଛି। ଛୁଆର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଅଧିକାରୀ କହିଛନ୍ତି।

Also Read: ନୂଆ ବୟଫ୍ରେଣ୍ଡ୍‌ଙ୍କ ସହ ନିର୍ବନ୍ଧ କଲେ ରାକ୍ଷୀ ସାଓ୍ଵନ୍ତ, ପୁଣି ବାହା ହେବାକୁ ହେଲେଣି ପ୍ରସ୍ତୁତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.