ଲଦାଖରେ ବରଫ ଝଡ଼, ବରଫ ତଳେ ଚାପି ହୋଇ ରହିଛନ୍ତି ୧୦ ଜଣ

ଲଦାଖ(କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ଲଦାଖରେ ବରଫ ଝଡ଼ । ଖାରଦୁଙ୍ଗଲାରେ ପ୍ରବଳ ବରଫ ଝଡ଼ ଯୋଗୁ ୪ଟି ଗାଡ଼ି ଫସି ଯାଇଛି । ବରଫ ତଳେ ଚାପି ହୋଇଯାଇଛନ୍ତି ୧୦ ଜଣ । ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବରଫ ତଳୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାିଛି। କିଛି ଦିନ ହେବ ଲଦାଖ ସମେତ ପୂରା ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ ବରଫ ଝଡର ତାଣ୍ଡବ ତେଖିବାକୁ ମିଳୁଛି ।
ସୂଚନା ଅନୁସାରେ ଆଜି ସକାଳେ ଖାରଦୁଙ୍ଗଲାରେ ଏକ ବରଫ ପାହାଡ ଖସି ପଡ଼ିଥିଲା । ଫଳରେ ସେଠାରେ ଥିବା ପର୍ୟ୍ୟଟକ ଚାପି ହୋଇଯାଇଛନ୍ତି । ଖାରଦୁଙ୍ଗଲା ବିଶ୍ୱର ସବୁଠୁ ଉଚ୍ଚ ସଡ଼କ । ଏହି ସଡ଼କ ୧୮ ହଜାର ଫୁଟ ଉପରେ ରହିଛି । ଏଠାରେ ତାପମାତ୍ରା ମାଇନସ୍ ୧୫ ଡିଗ୍ରୀରୁ ବି କମ୍ ରହିଥାଏ । ତେଣୁ ଏଠାରେ ଉଦ୍ଧାରକାର୍ୟ୍ୟକୁ ତ୍ୱରାନ୍ଵିତ କରିବା ସେନା ଓ ପୋଲିସ ପାଇଁ ଅସୁବିଧା ହେଉଛି । ଫସି ରହିଥିବା ପର୍ୟ୍ୟଟକଙ୍କ ସଂପର୍କରେ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଆଗକୁ ଦୁଇ ଦିନ ଯାଏ ଏହି ଅଞ୍ଚଳରେ ବରଫପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ।