ଆସିଲା ସୋରାବୁଦ୍ଦିନ ଫେକ୍ ଏନକାଉଣ୍ଟର ମାମଲାର ରାୟ , ସମସ୍ତ ୨୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ ସିବିଆଇ କୋର୍ଟ

ମୁମ୍ବାଇ(କେନ୍ୟୁଜ୍) : ୧୩ ବର୍ଷ ପରେ ଆସିଲା ବହୁ ଚର୍ଚ୍ଚିତ ସୋରାବୁଦ୍ଦିନ ଶେଖ୍‌ ଫେକ୍‌ ଏନ୍‌କାଉଣ୍ଟର ମାମଲାର ରାୟ । ସମସ୍ତ ୨୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଗତ ୫ତାରିଖରେ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା । କୋର୍ଟ କହିଛନ୍ତି, ଗୁଳିକାଣ୍ଡରୁ ସୋରାବୁଦ୍ଦିନଙ୍କ ମୃତ୍ୟୁ ହୋଇ ନାହିଁ । ଏନେଇ କୌଣସି ପ୍ରମାଣ ନ ମିଳିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ ।

ଏହାସହ କୋର୍ଟ କହିଛନ୍ତି, ସିବିଆଇ ତଦନ୍ତରୁ ସୋରାବୁଦ୍ଦିନଙ୍କୁ ପୋଲିସ ଅଧିକାରୀ ହାଇଦ୍ରାବାଦରୁ ଅପହରଣ କରି ନେଇଥିବାର କୌଣସି ପ୍ରମାଣ ନାହିଁ । କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟ ପ୍ରମାଣ ହତ୍ୟା ଓ ଷଡ଼ଯନ୍ତ୍ର ନେଇ ପର‌୍ୟ୍ୟାପ୍ତ ନୁହେଁ । ଏଥିପାଇଁ ସମସ୍ତଙ୍କୁ ଦୋଷମୁକ୍ତ କରାଗଲା ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ୨୨ ଜଣଙ୍କ ମଧ୍ୟରେ ୨୧ ଜଣ ଗୁଜୁରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ପୋଲିସ ଅଧିକାରୀ ଥିଲେ । ଅଭିଯୋଗ ହୋଇଥିଲା, ୨୦୦୫ ମସିହାରେ ସୋରାବୁଦ୍ଦିନ ଶେଖ୍‌ଙ୍କୁ ମିଥ୍ୟା ଏନ୍‌କାଉଣ୍ଟର କରିଥିଲା ପୋଲିସ । ତାଙ୍କ ପତ୍ନୀଙ୍କ ସହ ସେ ସାଂଘାଇ ଯାଉଥିବା ବେଳେ ହାଇଦ୍ରାବାଦରୁ ତାଙ୍କୁ ଗୁଜୁରାଟ ଏଟିଏସ୍‌ ପକ୍ଷରୁ ଅପହରଣ କରି ନିଆଯାଇଥିଲା । ପରେ ତାଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.