Below header

ପ୍ରତୀକ୍ଷାର ହେଲା ଅନ୍ତ, ସୋନିଆ ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା

ନୂଆଦିଲ୍ଲୀ (କେନ୍ୟୁଜ୍) : ସବୁ ପ୍ରତିକ୍ଷାରେ ଅନ୍ତ । ସୋନିଆ ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା । ନୂଆ ସଭାପତି ଚୟନ ହେବା ପର‌୍ୟ୍ୟନ୍ତ ସୋନିଆ ଗାନ୍ଧି ଅଧ୍ୟକ୍ଷା ପଦବୀରେ ରହିବେ । ଗତକାଲି ବସିଥିବା କଂଗ୍ରେସ CWC ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦିନ ସାରା ଚାଲିଥିବା ବୈଠକ ପରେ ରାତିରେ ଅନ୍ତରୀଣ ଅଧ୍ୟକ୍ଷ ନେଇ ସୋନିଆ ଗାନ୍ଧିଙ୍କ ନାଁ ଘୋଷଣା କରାଯାଇଥିଲା । ୧୯୯୮ରୁ ୨୦୧୭ ଯାଏ ସୋନିଆ କଂଗ୍ରେସର ଅଧ୍ୟକ୍ଷ ଥିଲେ । ପୁଣି ଥରେ ୨୦ ମାସ ପରେ ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷା ହୋଇଛନ୍ତି ।

ଗତ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ନୈତିକତା ଦୃଷ୍ଟିରୁ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଇସ୍ତଫା ଗ୍ରହଣ ହୋଇନଥିଲା । ଗତକାଲି କାର‌୍ୟ୍ୟକାରୀ କମିଟିର ମାରାଥନ ବୈଠକରେ ବରିଷ୍ଠ ନେତାମାନେ ରାହୁଲଙ୍କୁ ଅଧ୍ୟକ୍ଷ ପଦରେ ରହିବାକୁ ମନାଇଥିଲେ । ହେଲେ ରାହୁଲ ଗାନ୍ଧି ଏଥିରେ ରାଜି ହୋଇନଥିଲେ । ଗତକାଲି ଉଡଉର ଦୁଇଟି ବୈଠକ ହୋଇଥିଲା। ପ୍ରଥମେ ଦିନ ୧୧ଟାରୁ ବୈଠକ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ବୈଠକ ରାତି ୮ଟାରେ ହୋଇଥିଲା ।

ବୈଠକରେ ଅଧ୍ୟକ୍ଷ ହେବା ନେଇ ରାହୁଲ ଗାନ୍ଧି ସଫା ସଫା ମନା କରିଦେଇଥିଲେ । ଏହା ପରେ ପ୍ରିୟଙ୍କା ଗାନ୍ଧିଙ୍କୁ ଅଧ୍ୟକ୍ଷା କରିବା ନେଇ ଦାବି ଉଠିଥିଲା । ହେଲେ ଏହା ଉପରେ ସହମତି ହୋଇପାରିନଥିଲା । ଏହା ପରେ ଦଳର ନେତାମାନେ କହିଥିଲେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମିଶି ଦଳର ଅଧ୍ୟକ୍ଷ ବାଛନ୍ତୁ । ଶେଷରେ କୌଣସି ବିକଳ୍ପ ନମିଳିବାରୁ ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ରହିବା ପାଇଁ କୁହାଯାଇଥିଲା । ଦଳୀୟ କର୍ମୀଙ୍କ ଅନୁରୋଧ କ୍ରମେ ସୋନିଆ ଗାନ୍ଧି ଏହି ପଦ ପାଇଁ ରାଜି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.