ମମତା ସରକାରକୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ପଞ୍ଚାୟତ ନିର୍ବାଚନରେ ନିୟୋଜିତ ରହିବେ କେନ୍ଦ୍ରୀୟ ସୁରକ୍ଷା ବଳ

ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନିରପେକ୍ଷ ଭାବେ କରିବା ପାଇଁ ମୁତୟନ ରହିବେ କେନ୍ଦ୍ରୀୟ ସୁରକ୍ଷା ବଳ। ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ।

ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ ଭାବେ କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କଲିକତା ହାଇକୋର୍ଟ ୪୮ ଘଣ୍ଟାରେ ସବୁ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ରହିବା ପାଇଁ ଆଦେଶ ଦେଇଥିଲେ । ଯାହା ବିରୋଧରେ ସୁପ୍ରିମକୋର୍ଟ ଯାଚିକା ଦାଏର କରାଯାଇଥିଲା । ଏବେ ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ଆଦେଶରେ ଦଖଲ ଦେବାକୁ ମନା କରିଦେଇଛନ୍ତି ।

ଜଷ୍ଟିସ୍‌ ବିଭି ନାଗାରତ୍ନା ଓ ଜଷ୍ଟିସ୍‌ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ଅର୍ଥ ହିଂସା କରିବା ପାଇଁ ଲାଇସେନ୍ସ ପାଇବା ନୁହେଁ। ନିର୍ବାଚନ ନିରପେକ୍ଷ ଏବଂ ମୁକ୍ତ ହେବା ଉଚିତ୍। ହିଂସାକାଣ୍ଡ ଘଟୁଥିବା ସ୍ଥାନରେ ନିରପେକ୍ଷ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ।

ରାଜ୍ୟ ସରକାରଙ୍କୁ ଜଷ୍ଟିସ୍‌ ନାଗାରତ୍ନା କହିଛନ୍ତି, ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗରେ ୭୫ ହଜାର ବୁଥ୍‌ରେ ଗୋଟିଏ ଦିନରେ ନିର୍ବାଚନ ଅନୁଷ୍ଠିତ ହେବ । ସେଥିମଧ୍ୟରେ ୧୮୯ ସମ୍ବେଦନଶୀଳ ବୁଥ୍‌ ରହିଛି। ତେଣୁ ଏଭଳି ସ୍ଥିତିରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେଲେ ରାଜ୍ୟ ସରକାରଙ୍କର କିଛି ଅସୁବିଧା ହେବା ଉଚିତ ନୁହେଁ ବୋଲି ଜଷ୍ଟିସ୍‌ ବି.ଭି ନାଗାରତ୍ନା କହିଛନ୍ତି।

ଗତ ୧୩ ତାରିଖରେ କଲିକତା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ପାଇଁ ଆବେଦନ କରିବା ଉଚିତ ବୋଲି କହିଥିଲେ। ମାତ୍ର ରାଜ୍ୟ ସରକାର ଏନେଇ ତତ୍ପରତା ପ୍ରକାଶ କରି ନ ଥିଲେ।

ସୂଚନାଯୋଗ୍ୟ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଆବେଦନକୁ ବିଚାର କରି ହାଇକୋର୍ଟ ଏହି ରାୟ ଦେଇଥିଲେ। ମାତ୍ର ରାଜ୍ୟ ସରକାର ତଥା ନିର୍ବାଚନ ଆୟୋଗ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.