ସମସ୍ତ ଟ୍ରକ୍‌ରେ AC କ୍ୟାବିନ୍‌ ବାଧ୍ୟତାମୂଳକ, ୨୦୨୫ରୁ ନିୟମ ଲାଗୁ କରିବାକୁ ଆଦେଶ ଦେଲେ ନୀତୀନ ଗଡ଼କରୀ

୨୦୨୫ରୁ ଦେଶର ସମସ୍ତ ଟ୍ରକ୍‌ କ୍ୟାବିନ୍‌କୁ ଶୀତତାପ ନିୟନ୍ତ୍ରିତ ବା AC କରାଯିବ। ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଆଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ।

୨୦୨୫ରୁ ଦେଶର ସମସ୍ତ ଟ୍ରକ୍‌ କ୍ୟାବିନ୍‌କୁ ଶୀତତାପ ନିୟନ୍ତ୍ରିତ ବା AC କରାଯିବ। ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଆଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ଭାରତୀୟ ଡ୍ରାଇଭରମାନଙ୍କ ଉପରେ ଆଧାରିତ ପୁସ୍ତକ ‘ଦେଶ ଚାଳକ’ର ଉନ୍ମୋଚନ ଅବସରରେ ଗଡ଼କରୀ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପରିବହନ କ୍ଷେତ୍ରରେ ଡ୍ରାଇଭରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରବଳ ଗରମ, ହାଡ଼ଭଙ୍ଗା ଶୀତ ଏବଂ ବର୍ଷାରେ ମଧ୍ୟ ସେମାନେ ପ୍ରତିଦିନ ପାଖାପାଖି ୧୨ରୁ ୧୪ ଘଣ୍ଟା ଡ୍ରାଇଭିଂ ସିଟ୍‌ରେ ବିତାଇ ଥାଆନ୍ତି। ଝାଳରେ ଓଦା ହୋଇ ମଧ୍ୟ ଗାଡ଼ି ଚଲାଇବା ଜାରି ରଖନ୍ତି। ଡ୍ରାଇଭରମାନଙ୍କର କାମ କରିବାର କଠିନ ସ୍ଥିତି ଏବଂ ରାସ୍ତାରେ ଦୀର୍ଘ ସମୟ ଯାଏ ଡ୍ରାଇଭିଂର ଥକ୍କାପଣ ହିଁ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଥାଏ। ବର୍ତ୍ତମାନ ଏସି କ୍ୟାବିନ୍‌ ହେଲେ ଡ୍ରାଇଭରମାନଙ୍କୁ ବହୁତ ଆରାମ ମିଳିବ।

ଟ୍ରକ୍ ଡ୍ରାଇଭରମାନଙ୍କୁ ପ୍ରବଳ ଗରମରେ କାମ କରିବାକୁ ପଡୁଥିବାରୁ କେନ୍ଦ୍ରମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ‘ମୁଁ ଦୀର୍ଘ ଦିନରୁ ଡ୍ରାଇଭରମାନଙ୍କ ପାଇଁ ଏସି କ୍ୟାବିନ୍ ପ୍ରସଙ୍ଗକୁ ଆଗକୁ ବଢ଼ାଇ ଆସୁଛି। କିଛି ଲୋକ ଏହାକୁ ବିରୋଧ କରି କହିଛନ୍ତି କି, ଏହାଦ୍ୱାରା ମୂଲ୍ୟ ବଢ଼ିଯିବ। କିନ୍ତୁ ଏଠାକୁ ଆସିବା ପୂର୍ବରୁ ମୁଁ ଫାଇଲରେ ଦସ୍ତଖତ କରିଦେଇଛି ଯେ ବର୍ତ୍ତମାନଠାରୁ ସମସ୍ତ ଟ୍ରକ୍‌ରେ ଡ୍ରାଇଭରଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ ହେବ’।

ନୀତୀନ ଗଡ଼କରୀ ଆହୁରି କହିଛନ୍ତି, ‘ଆମ ଦେଶରେ କିଛି ଡ୍ରାଇଭର ୧୨ କିମ୍ବା ୧୪ ଘଣ୍ଟା ଟ୍ରକରେ ବିତାନ୍ତି। ହେଲେ ଅନ୍ୟ ଦେଶରେ ବସ୍ ଏବଂ ଟ୍ରକ୍ ଡ୍ରାଇଭରମାନଙ୍କ ଡ୍ୟୁଟିରେ ରହିବା ସମୟ ଉପରେ ପ୍ରତିବନ୍ଧକ ରହିଛି। ଆମ ଡ୍ରାଇଭରମାନେ ୪୩ରୁ ୪୭ ଡିଗ୍ରୀ ତାପମାତ୍ରାରେ ଗାଡ଼ି ଚଲାନ୍ତି। ତେଣୁ ଆମେ ଡ୍ରାଇଭରମାନଙ୍କର ଅବସ୍ଥା କଳ୍ପନା କରିବା ଉଚିତ୍’। କହି ରଖୁଛୁ ଯେ ସଡ଼କ ପରିବହନ ମନ୍ତ୍ରଣାଳୟ ପ୍ରଥମ ଥର ୨୦୧୬ରେ ଏହି ପଦକ୍ଷେପର ପ୍ରସ୍ତାବ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.