ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ସୁଷମା ସ୍ୱରାଜଙ୍କର ଶେଷକୃତ୍ୟ, ଅନ୍ତେଷ୍ଟି କ୍ରିୟା କଲେ ଝିଅ ବାଂଶୁରୀ

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ। ନୂଆଦିଲ୍ଲୀର ଲୋଧିରୋଡସ୍ଥିତ ଶ୍ମଶାନ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଝିଅ ବାଂଶୁରୀ ସ୍ୱରାଜ ଅନ୍ତେଷ୍ଟି କ୍ରିୟା କରିଥିଲେ। ସୁଷମା ଶେଷକୃତ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ୟାବିନେଟର ବହୁ ନେତା ଯୋଗ ଦେଇଥିଲେ। ଶୋକାକୁଳ ପରିବେଶରେ ଅନ୍ତିମ ବିଦାୟ ନେଇଥିଲେ ସୁଷମା।

SUSHMA FUNERAL-2

ଗତକାଲି ସଂଧ୍ୟାରେ ଅପ୍ରତିଦ୍ୱନ୍ଦୀ ରାଜନେତ୍ରୀ ସୁଷମା ସ୍ୱରାଜଙ୍କର ହୃଦଘାତକରେ ନୂଆଦିଲ୍ଲୀର ଏମ୍‌ସରେ ପରଲୋକ ଘଟିଥିଲା। ୬୭ ବର୍ଷ ବୟସରେ ତାଙ୍କ ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍‌ଧ କରି ଦେଇଛି। କେନ୍ଦ୍ର କ୍ୟାବିନେଟର ବହୁ ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଦିଲ୍ଲୀ ଏମ୍‌ସରେ ଆଜି ତାଙ୍କର ଶେଷ ଦର୍ଶନ କରିଥିଲେ।

ସୁଷମାଙ୍କ ପାର୍ଥିବ ଶରୀରକୁ ଯନ୍ତରମନ୍ତର ବାସଭବନରେ ଦର୍ଶନ କରିଥିଲେ ବହୁ ନେତା ଓ ସାଧାରଣ ଲୋକେ। ଦଳମତ ନିର୍ବିଶେଷରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସୁଷମାଙ୍କ ସ୍ମୃତିଚାରଣ କରିଥିଲେ। ସୁଷମାଙ୍କ ଶେଷ ଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଭାବବିହ୍ଵଳ ହୋଇଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ସାଂସଦ ସୁଷମାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଯନ୍ତରମନ୍ତର ବାସଭବନରୁ ବିଜେପି ମୁଖ୍ୟାଳୟକୁ ଯାଇଥିଲା ସୁଷମାଙ୍କ ପାର୍ଥିବ ଶରୀର। ଅନ୍ତିମ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଥିଲା କାର୍ଯ୍ୟାଳୟ। ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବହୁ କର୍ମୀ ସୁଷମାଙ୍କ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କୁ ନିଆଯାଇଥିଲା ଲୋଧିରୋଡ ସ୍ଥିତ ଶ୍ମଶାନକୁ। ପ୍ରିୟ ନେତାଙ୍କୁ ଦେଖିବାକୁ ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

ଏହାସହ ପଢନ୍ତୁ ହରିଶ ସାଲଭେଙ୍କ ସହ ସୁଷମାଙ୍କ ଶେଷ କଥା, କହିଥିଲେ ‘କାଲି ଆସିବ ତମ ପ୍ରାପ୍ୟ ଏକ ଟଙ୍କା ନେଇଯିବ’

ଜଣେ ବିଚକ୍ଷଣ ରାଜନେତା, କୁଶଳୀ ନେତ୍ରୀ ଓ ଓଜସ୍ୱିନୀ ପ୍ରବକ୍ତା ଭାବେ ଜନମାନସରେ ଲୋକପ୍ରିୟତା ଅର୍ଜନ କରିଥିଲେ ସୁଷମା। ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ନିଜ ପରାକାଷ୍ଠା ଦେଖାଇଥିଲେ। ତାଙ୍କ ବିୟୋଗରେ ନୂଆଦିଲ୍ଲୀ ଓ ହରିଆନାରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।