ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ହୋଇଛନ୍ତି । ଗୁଳିମାଡ଼ ପରେ ନିୟନ୍ତ୍ରଣ ହରାଇ ବସଟି ଏକ ଖାତକୁ ଖସି ପଡ଼ିଥିଲା । ତେବେ ଆକ୍ରମଣ ହେବାର କିଛି ସମୟ ପୂର୍ବରୁ ସିସିଟିଭି ଫୁଟେଜ ଦେଖିବାକୁ ମିଳିଛି ।

ଖବର ମୁତାବକ, ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସରେ କଟରା ଫେରୁଥିଲେ । ରବିବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍ ସମୟରେ ପୋନି ଅଞ୍ଚଳରେ ବସ୍ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ । ଗୁଳି ମାଡ଼ ପରେ ବସ୍ ଚାଳକ ଭୟଭୀତ ହୋଇପଡ଼ିଥିଲେ । ବସଟି ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଥିଲା ।

ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବସକୁ ଚାରିପଟୁ ଘେରି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏପରିକି ବସ ଖାତକୁ ଖସି ପଡ଼ିବା ପରେ ମଧ୍ୟ ଗୁଳିମାଡ଼ ଜାରି ରଖିଥିଲେ । ୬-୭ ଜଣ ଆତଙ୍କବାଦୀ ମୁହଁରେ ମୁଖା ପିନ୍ଧି ଗୁଳିକାଣ୍ଡ କରିଥିଲେ । ସେମାନେ ସମସ୍ତ ଯାତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ।

ରିଆସି ଏସଏସପି ମୋହିତ ଶର୍ମାଙ୍କ କହିବା ଅନୁସାରେ ଗୁଳି ଚାଳନା ଯୋଗୁ ବସ୍ ଚାଳକ ଭାରସାମ୍ୟ ହରାଇଥିଲେ । ଯେଉଁଥିପାଇଁ ବସ୍ଟି ଖସି ପଡ଼ିଥିଲା । ମୃତକ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ । ତେବେ ଏହି କାଣ୍ଡ ପରେ ଜମ୍ମୁ କାଶ୍ମୀରର ରିଆସିରେ ଜୋରଦାର ସର୍ଚ୍ଚ ଅପରେସନ । ଏକ ଯାତ୍ରୀବାହୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରୁଛି ସେନା । ଗାଡ଼ି ମୋଟର ତନ୍ନତନ୍ନ ଯାଞ୍ଚ କରାଯାଉଛି । ସର୍ଚ୍ଚ ଅପରେସନ ପାଇଁ ଜଙ୍ଗଲ ଅଞ୍ଚଳରେ ଡ୍ରୋନ୍ ମୁତୟନ ହୋଇଛି ।

Leave A Reply

Your email address will not be published.