ଅଭାବ ଅନଟନ ନେଇଗଲା ପୂରା ପରିବାରର ଜୀବନ, ସାମୂହିକ ଆତ୍ମହତ୍ୟା କଲେ ୫ ସଦସ୍ୟ…ସାରା ରାତି ଝୁଲି ରହିଲା ମୃତଦେହ

ବିହାରର ସମସ୍ତିପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରର ୫ ଜଣ ସଦସ୍ୟ ବେକରେ ଦଉଡ଼ି ଦେଇ ସାମୂହିକ ଆତ୍ମହତ୍ୟା କରିଛନ୍ତି। ରବିବାର ସକାଳେ ଘରୁ ୫ ଜଣଙ୍କ ମୃତଦେହ ଜବତ ହେବା ପରେ ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଏଭଳି ସମ୍ବେଦନଶୀଳ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି। କୁହାଯାଉଛି କି, ଏହି ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା। ଅନେକ ଲୋକଙ୍କର କରଜ ବୋଝ ପରିବାର ଉପରେ ରହିଥିଲା, ଯେଉଁ କାରଣରୁ ସମସ୍ତ ସଦସ୍ୟ ଶନିବାର ରାତିରେ ସାମୂହିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଏଠାରେ ମନୋଜ ଝା ନିଜ ପରିବାର ସହିତ ରହୁଥିଲେ। ସେ ଅଟୋ ଚଲାଇ ଅତି କଷ୍ଟେମଷ୍ଟେ ପରିବାରର ପେଟ ପୋଷୁଥିଲେ। ଖରାପ ଆର୍ଥିକ ସ୍ଥିତି ଯୋଗୁ ମନୋଜ ଅନେକ ଲୋକଙ୍କଠାରୁ କରଜ ମଧ୍ୟ ନେଇଥିଲେ। ଏବେ ଏହି ଲୋକମାନେ ତାଙ୍କୁ ପଇସା ଫେରାଇବାକୁ ଲଗାତାର ଚାପ ପକାଇ ଆସୁଥିଲେ। ଏହି କାରଣରୁ ପରିବାରର ସମସ୍ତ ସଦସ୍ୟ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

କୁହାଯାଉଛି ଯେ ଏହା ପୂର୍ବରୁ ମନୋଜ ଝାଙ୍କ ବାପା ମଧ୍ୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ ମଧ୍ୟ ଆର୍ଥିକ ସମସ୍ୟା ହେତୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ସେ ନିଜ ବଡ଼ ଝିଅର ବିବାହ ପାଇଁ କରଜ ନେଇଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ଶୁଝି ପାରି ନ ଥିଲେ। ଏପଟେ ପୋଲିସ ଏହି ସାମୂହିକ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.