ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ କାର୍ଯ୍ୟ ଦେଶର ଛାତି ଚଉଡା କରି ଦେଉଛି…

ପୋଲାଣ୍ଡ ବର୍ଡରରେ ପହଂଚିଛନ୍ତି ଜଣେ ଭାରତୀୟ। ନାଁ ରୋନକ ରାୱଲ। ସେ ଡେନମାର୍କରେ ରୁହନ୍ତି, କିନ୍ତୁ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ଭାରତୀୟଙ୍କ ପାଇଁ ଅଣ୍ଟା ଭିଡିଛନ୍ତି। ପହଞ୍ଚି ଯାଇଛନ୍ତି ପୋଲାଣ୍ଡ ବର୍ଡରରେ। ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରେ ଫସିଥିବା ସବୁ ଦେଶର ଲୋକଙ୍କୁ ବାହାରକୁ କାଢୁଛନ୍ତି। ୟୁକ୍ରେନ-ପୋଲାଣ୍ଡ ବର୍ଡରରେ ଆମ ଭାରତୀୟଙ୍କ ଏଭଳି କାର୍ଯ୍ୟ ଦେଖି ଦେଶବାସୀ ଖୁବ ଗର୍ବ ଅନୁଭବ କରୁଛନ୍ତି।
ସତରେ ଏଭଳି ମାନବିକତା କେବଳ ଭାରତୀୟଙ୍କ ପାଖରେ ହିଁ ଦେଖିବାକୁ ମିଳେ। ରୁଷ ୟୁକ୍ରେନ ରାଜଧାନୀକୁ ନିଜ କବଜାକୁ ନେବାକୁ କଳବଳ କୌଶଳ ଲଗାଉଛି। ୟୁକ୍ରେନର ଅନେକ ସହର ଏବେ ପାଉଁଶ ଗଦାରେ ପରିଣତ ହୋଇଛି। ଲୋକେ ନିଜ ଘରଦ୍ୱାର ଛାଡି ଦେଶ ଛାଡ଼ିବାକୁ ଲାଗିଛନ୍ତି। ଏହି ସମୟରେ ଭଗବାନଙ୍କ ଦୂତ ସାଜି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଭାରତୀୟ ବନ୍ଧୁ।
ୟୁକ୍ରେନ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି ରୋନକ। ପାଖାପାଖି ୫୦ ମହିଳା, ୪୦ ଶିଶୁଙ୍କୁ ନିଜ ହେପାଜତରେ ରଖିଛନ୍ତି ରୋନକ। ଖାଲି ବର୍ଡରରୁ ନୁହେଁ, ସେ ଯୁଦ୍ଧ ବିରାମ ସମୟରେ ଖାର୍କିଭରୁ ମହିଳା ଏବଂ ଶିଶୁଙ୍କୁ ଉଦ୍ଧାର କରୁଛନ୍ତି। ତା’ ସହ ନିଜ ଖର୍ଚ୍ଚରେ ରହିବା ଖାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।
୨ ହଜାର ଲୋକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରି ସାରିଲେଣି ରୋନକ। ତାଙ୍କୁ ଦେଖି ଲାଗୁଛି ସତରେ ବଡ଼ ଲୋକ ହେବା ପାଇଁ ବଡ ହୃଦୟ ରହିବା ନିହାତି ଦରକାର, ଯାହା ପ୍ରମାଣ କରି ଦେଖାଉଛନ୍ତି ଜଣେ ଭାରତୀୟ।