Below header

ଭୁଲ୍‌ ଠିକଣାରେ ପହଞ୍ଚିଗଲେ ଚୋର, ସତ ଜାଣିବା ପରେ କଲେ ଅନୁତାପ; ଦୁଇଦିନ ପରେ ଫେରାଇ ଦେଇ ଗଲେ ସବୁ ଚୋରି ସାମଗ୍ରୀ!

ଉତ୍ତର ପ୍ରଦେଶରୁ ଚୋରିର ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଚୋରମାନେ ଜଣେ ଗରିବ ଲୋକର ଘରୁ ଚୋରି କରିଛନ୍ତି। କିନ୍ତୁ ଏହାପରେ ସେମାନେ ଯାହା କରିଛନ୍ତି, ତାହା ଜାଣିଲେ ଆପଣଙ୍କ ହୃଦୟ ମଧ୍ୟ ତରଳି ଯିବ। ଚୋରି କରିବା ପରେ ଚୋରମାନେ ଗରିବ ଲୋକର ଜିନିଷପତ୍ର ଫେରାଇ ଦେଇଛନ୍ତି ଏବଂ ଏକ ଚିଠି ଲେଖି ତାଙ୍କୁ କ୍ଷମା ପ୍ରାର୍ଥନା ମାଗିଛନ୍ତି। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

୪୦ ହଜାର ଋଣ ନେଇ ଖୋଲିଥିଲେ ଦୋକାନ

ସୂଚନା ମୁତାବକ, ବାନ୍ଦା ଜିଲ୍ଲା ବିସଣ୍ଡା ଥାନା ଅନ୍ତର୍ଗତ ଚନ୍ଦ୍ରାୟଲ ଗାଁର ବାସିନ୍ଦା ଦୀନେଶ ତିୱାରୀ ଅତ୍ୟନ୍ତ ଗରିବ। କିଛି ଦିନ ପୂର୍ବେ ସେ ୪୦ ହଜାର ଟଙ୍କା ଋଣ ନେଇ ୱେଲଡିଂ ଦୋକାନ ଖୋଲିଥିଲେ। ସବୁଦିନ ଭଳି ଯେତେବେଳେ ସେ ୨୦ ଡିସେମ୍ବର ସକାଳେ ନିଜ ଦୋକାନରେ ପହଞ୍ଚିଥିଲେ, ତ ତାଙ୍କର ହୋଶ୍‌ ଉଡ଼ି ଯାଇଥିଲା। କାହିଁକିନା, ତାଙ୍କ ଦୋକାନର ତାଲା ଭଙ୍ଗା ଯାଇଥିଲା ଏବଂ ଅନେକ ଜିନିଷ ଚୋରି ହୋଇଥିଲା। ଏହାପରେ ସେ ବିସଣ୍ଡା ଥାନାରେ ଏ ନେଇ ଖବର ଦେଇଥିଲେ। କିନ୍ତୁ ଏହି ସମୟରେ ଥାନାରେ କେହି ଇନ୍ସପେକ୍ଟର ନ ଥିବାରୁ ମାମଲା ରୁଜୁ ହୋଇ ପାରି ନ ଥିଲା।

ତେବେ ଘଟଣାର ଦୁଇ ଦିନ ପରେ ତାଙ୍କୁ କୌଣସି ସୂତ୍ରରୁ ଜଣା ପଡ଼ିଥିଲା ଯେ ତାଙ୍କ ଚୋରି ସାମଗ୍ରୀ ଗାଁର ଏକ ଖାଲି ସ୍ଥାନରେ ପଡ଼ିଛି। ବାସ୍ତବରେ, ଚୋରମାନେ ଚୋରି ଜିନିଷଗୁଡ଼ିକୁ ସେହିଠାରେ ହିଁ ରଖିଦେଇ ଚାଲି ଯାଇଥିଲେ। ଚୋରି କରିବା ପରେ ଯେତେବେଳେ ଚୋରମାନେ ଜାଣିବାକୁ ପାଇଲେ ଯେ ଦୀନେଶ ତିୱାରୀ ବହୁତ ଗରିବ, ତ ସେମାନଙ୍କ ମନରେ ଦୟା ଆସିଥିଲା। ସେମାନେ ବହୁତ ଭାବପ୍ରବଣ ହୋଇ ଯାଇଥିଲେ। ଏଥିପାଇଁ ସେମାନେ ଏକ ଚିଠି ଲେଖି ଦୀନେଶ ତିୱାରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

ଚୋରମାନେ ଚିଠି ଲେଖି ମାଗିଥିଲେ କ୍ଷମା

ଚୋରମାନେ ଚିଠିରେ ଲେଖିଥିଲେ, ‘ଏହା ଦୀନେଶ ତିୱାରୀଙ୍କର ଜିନିଷ। ଆମେ ବାହାର ଲୋକଙ୍କଠାରୁ ଆପଣଙ୍କ ବିଷୟରେ ଜାଣିବାକୁ ପାଇଲୁ। ଆମେ କେବଳ ସେହି ବ୍ୟକ୍ତିଙ୍କୁ ଜାଣୁ, ଯିଏ ଲୋକେଶନ ଦେଇ କହିଥିଲେ କି, ଏ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି।। କିନ୍ତୁ ଯେତେବେଳେ ଆମେ ବାସ୍ତବ ଜିନିଷ ଜାଣିବାକୁ ପାଇଲୁ, ତ ଆମକୁ ବହୁତ ଦୁଃଖ ଅନୁଭବ ହୋଇଥିଲା। ଏଥିପାଇଁ ଆମେ ଆପଣଙ୍କ ଜିନିଷ ଫେରାଇ ଦେଉଛୁ। ଭୁଲ ଲୋକେଶନ କାରଣରୁ ଆମେ ଏକ ଭୁଲ୍ କରିଛୁ’। ସେପଟେ ଏହି ଘଟଣାକୁ ନେଇ ବିସଣ୍ଡା ଥାନା SHO ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେ କହିଛନ୍ତି ଯେ ଏହା ହାସ୍ୟାସ୍ପଦ ଘଟଣା। ଏତେ ବର୍ଷ ଚାକିରି ଭିତରେ ମୁଁ କେବେ ବି ଏମିତି ଘଟଣା ଦେଖି ନ ଥିଲି। ତାଙ୍କ କହିବା ହେଲା, ଏହା ବିଲକୁଲ ଫିଲ୍ମ ଭଳି କଥା ହୋଇ ଯାଇଛି।

ଜିନିଷପତ୍ର ଫେରି ପାଇବାରୁ ଖୁସି ହୋଇଗଲେ ଦୀନେଶ ତିୱାରୀ

ସେପଟେ ଦୀନେଶ ତିୱାରୀଙ୍କୁ ଯେତେବେଳେ ତାଙ୍କର ସବୁ ଜିନିଷପତ୍ର ଫେରସ୍ତ ମିଳିଥିଲା, ତ ସେ ବହୁତ ଖୁସି ହୋଇ ଯାଇଥିଲେ। ଦୀନେଶ କହିଛନ୍ତି ଯେ ଚୋର ତାଙ୍କ ଦୋକାନରୁ ୨ଟି ୱେଲଡିଂ ମେସିନ୍, ଗୋଟିଏ ବଡ କଟର ମେସିନ୍, ଗୋଟିଏ ଓଜନ ମେସିନ୍, ଗୋଟିଏ ଗ୍ରାଇଣ୍ଡର୍ ଏବଂ ଗୋଟିଏ ଡ୍ରିଲ୍ ମେସିନ୍ ଚୋରି କରି ନେଇଥିଲେ। ଏବେ ସେମାନେ ତାଙ୍କର ସମସ୍ତ ଜିନିଷ ଫେରାଇ ଦେଇଛନ୍ତି ଏବଂ ଏକ ଚିଠି ମଧ୍ୟ ରହିଛି, ଯେଉଁଥିରେ ଲେଖା ହୋଇଛି, ଭୁଲରେ ଚୋରି ହୋଇ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.