ଜର୍ମାନୀରେ କୋଭିଡର ଚତୁର୍ଥ ଲହର : ଦୈନିକ ମାମଲା ୩୭ ହଜାର,ଫେରିବ ଲକ୍‌ଡାଉନ୍‌

ନୂଆଦିଲ୍ଲୀ : ଗୋଟିଏ ପକ୍ଷରେ ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଥରେ ୟୁରୋପୀୟ ଦେଶରେ କୋଭିଡ ସଂକ୍ରମଣ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଚତୁର୍ଥ ଲହର ସହ ଏବେ ଲଢ଼ୁଛି ଜର୍ମାନୀ । ତେବେ ମହାମାରୀର ମୁକାବିଲା କରିବ ପାଇଁ ବୁଷ୍ଟର ଡୋଜ୍ର ପ୍ରୟୋଗ କରାଯିବ । ସମସ୍ତ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦେବେ ଜର୍ମାନୀ ସରକାର । ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସ୍ପାନ୍ ।

ଦ୍ୱିତୀୟ ଡୋଜ୍ ନେବାକୁ ୬ ମାସ ପୂରିଥିଲେ ବୁଷ୍ଟର ଡୋଜ୍ ଦିଆଯିବ । ଜର୍ମାନୀରେ ସଂକ୍ରମଣ ରେକର୍ଡ ଭାଙ୍ଗିଛି। ୩୭ ହଜାର ଟପିଛି ଦୈନିକ ମାମଲା । ମହାମାରୀ ଆରମ୍ଭ ଦିନରୁ ଜର୍ମାନୀରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ପ୍ରତିଦିନ ବଢ଼ୁଛି ଆକ୍ରନ୍ତଙ୍କ ସଂଖ୍ୟା । ଗୁରୁବାର ଠାରୁ ଶୁକ୍ରବାର ଆଉ ୩ ହଜାର ଅଧିକ ଲୋକ ସଂକ୍ରମିତ ହୋଇଛି। ଆଦୌ ଟିକା ନେଇ ନଥିବା ଲୋକେ ସବୁଠୁ ବେଶୀ ବିପଦରେ ।

ଟିକା ନେଇଥିବା ଲୋକଙ୍କ ପାଇଁ ବିପଦ ମଧ୍ୟମ ଧରଣର ରହିଛି । ୬ ମାସ ପରେ ଟିକାର ପ୍ରଭାବ କମୁଥିବାରୁ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଜର୍ମାନୀ ସରକାର । ଜର୍ମାନୀର ପ୍ରାୟ ୬୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ନେଇଛନ୍ତି । ଏକ ତୃତୀୟାଂଶ ଲୋକ ଗୋଟିଏ ଡୋଜ୍ ବା ଆଦୌ ଟିକା ନେଇ ନାହାନ୍ତି। ମହାମାରୀ ମୁକାବିଲା ପାଇଁ ଟିକାକରଣକୁ ବ୍ୟାପକ କରିବ ଜର୍ମାନୀ । ଲକଡାଉନ୍ ବି ଫେରିବ ।

ରୁଷିଆରେ ବି ସ୍ଥିତି ଭୟଙ୍କର । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଶୁକ୍ରବାର ୪୦ ହଜାର ୭୩୫ ଜଣ ସଂକ୍ରମିତ ହାଇଛନ୍ତି । ୧,୧୯୨ ଲୋକଙ୍କ ଜୀବନ ନେଇଛି ମହାମାରୀ। ନଭେମ୍ବର ୭ ପର୍ଯ୍ୟନ୍ତ ସ୍କୁଲ, ରେଷ୍ଟୁରାଣ୍ଟରେ ତାଲା ପଡ଼ିଛି। ରୁଷିଆରେ ଟିକାକରଣ ଧିମା ହେବା ପରେ ସଂକ୍ରମଣ ବଢ଼ିଥିବା ଜଣାପଡ଼ିଛି। ତେବେ ରୁଷିଆର ସିଙ୍ଗିଲ ଡୋଜ୍ ଟିକା ସ୍ପୁଟନିକ ଲାଇଟ୍ ଭଲ ଆଣ୍ଟିବଡ଼ି ସୃଷ୍ଟି କରୁଛି । ମେଡିକାଲ ପତ୍ରିକା ଲାନସେଟ୍ରେ ଏ ସଂପର୍କିତ ରିପୋର୍ଟ ପ୍ରକାଶ ପାଇଛି ।
ସେପଟେ ଫାଇଜର ଟିକା ପରେ ଫାଇଜର ବଟିକା । କୋଭିଡ୍ ସହ ଲଢ଼ିବ ଆଣ୍ଟି ଭାଇରାଲ ବଟିକା। କମ୍ପାନୀ କହିଛି, ମୃତ୍ୟୁ ଏବଂ ମେଡିକାଲରେ ଭର୍ତ୍ତି ହେବା ଆଶଂକାକୁ ୯୦ ପ୍ରତିଶତ କମ୍ କରୁଛି ଏହି ବଟିକା। ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍-FDA ଏହାର ସମୀକ୍ଷା କରୁଛି । ଖୁବ୍ ଶୀଘ୍ର ବଜାରକୁ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.