Below header

ଭାରତରେ ମାଡ଼ି ଚାଲିଛି କରୋନାର ‘XBB’ ସବ୍‌-ଭ୍ୟାରିଏଣ୍ଟ; ଏ ସମ୍ପର୍କିତ ଜରୁରୀ ତଥ୍ୟ ପ୍ରକାଶ କଲା INSACOG

କରୋନା ମହାମାରୀର ପ୍ରକୋପ ବିଶ୍ୱର ଅନେକ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଭାରତ ସରକାର ମଧ୍ୟ କରୋନା ସଂକ୍ରମଣରେ ସମ୍ଭାବିତ ବୃଦ୍ଧିକୁ ନଜରରେ ରଖି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସାରିଛନ୍ତି। ବର୍ତ୍ତମାନ ସରକାର ଦେଶରେ ଚିହ୍ନଟ ହୋଇଥିବା ନୂଆ କୋଭିଡ୍‌ ଭ୍ୟାରିଏଣ୍ଟ ବିଷୟରେ ଜାଣିବା ପାଇଁ ଅଧିକ ତତ୍ପର ହୋଇଉଠିଛନ୍ତି।

ଇତି ମଧ୍ୟରେ ଇଣ୍ଡିଆନ SARS-COV-2 ଜିନୋମିକ୍ସ କନ୍‌ସୋର୍ଟିୟମ୍‌ (INSACOG) ନିଜର ବୁଲେଟିନ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛି। INSACOG ମୁତାବକ, ଭାରତରେ କୋଭିଡ୍‌ ଓମିକ୍ରନର ‘XBB’ ସବ୍‌-ଭ୍ୟାରିଏଣ୍ଟ ସବୁଠାରୁ ଅଧିକ ସକ୍ରିୟ ରହିଛି।

INSACOG ବୁଲେଟିନ୍‌ରେ କୁହାଯାଇଛି କି, ଦେଶରେ କରୋନା ଭାଇରସ୍‌ର ଓମିକ୍ରନ ଏବଂ ଏହାର ସବ୍‌-ଭ୍ୟାରିଏଣ୍ଟ ବର୍ତ୍ତମାନ ମୁଖ୍ୟ ଭ୍ୟାରିଏଣ୍ଟ ହୋଇଛନ୍ତି। ଖାସ୍‌ କରି, ‘XBB’ ଭ୍ୟାରିଏଣ୍ଟ ପୂରା ଭାରତରେ ସବୁଠାରୁ ଅଧିକ ସକ୍ରିୟ ରହିଛି। ଏହାର ସକ୍ରିୟ ମାତ୍ରା ହେଉଛି ୬୩.୨%।

INSACOG ମୁତାବକ, ଦେଶରେ କୋଭିଡ୍‌ର BA.2.75 ଏବଂ BA.2.10 ଭ୍ୟାରିଏଣ୍ଟ ମଧ୍ୟ ସଂକ୍ରମଣ ବିସ୍ତାର କରିଥିଲା, କିନ୍ତୁ ଏହା କିଛି ଦିନ ପାଇଁ ଥିଲା। BA.2.75 ଭ୍ୟାରିଏଣ୍ଟ ବିଶେଷ କରି ଉତ୍ତର-ପୂର୍ବ ଭାରତରେ ସକ୍ରିୟ ଅଛି। ଯଦିଓ ଏ ପର୍ଯ୍ୟନ୍ତ ଏହାର ଗମ୍ଭୀରତା କିମ୍ବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ବିଷୟରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।

INSACOG ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ ଓମିକ୍ରନର ‘XBB’ ଭ୍ୟାରିଏଣ୍ଟ ଏତେ ବିପଜ୍ଜନକ ନୁହେଁ। ଏଥିରେ ସଂକ୍ରମିତ ଲୋକ ବହୁତ କମ୍‌ ଦିନରେ ହିଁ ଠିକ୍‌ ହୋଇଯାଉଛନ୍ତି। ଅବଶ୍ୟ ଏହା ସଠିକ୍‌ ଯେ ‘XBB’ ପୂରା ଭାରତରେ ବ୍ୟାପିଥିବା ସବୁଠାରୁ ସକ୍ରିୟ ସବ୍‌-ଭ୍ୟାରିଏଣ୍ଟ।

ସେପଟେ ଆମେରିକାରେ ବର୍ତ୍ତମାନ XXB.1.5 ଭ୍ୟାରିଏଣ୍ଟ ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ହେଲା, କରୋନା ଭାଇରସ୍‌ର ଅନ୍ୟାନ୍ୟ ଭ୍ୟାରିଏଣ୍ଟ ତୁଳନାରେ XXB.1.5 ଭ୍ୟାରିଏଣ୍ଟ ୧୦୪ ଗୁଣା ଅଧିକ ବେଗରେ ସଂକ୍ରମଣ ବିସ୍ତାର କରିଥାଏ, ଯାହାକୁ ଭ୍ୟାକ୍ସିନ୍‌ ମଧ୍ୟ ଅଟକାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.