ମଧ୍ୟ ପ୍ରଦେଶର ଜଙ୍ଗଲରେ ମିଳିଲା ବାଘର ଝୁଲନ୍ତା ଶବ; ଘଟଣାସ୍ଥଳରେ ପନ୍ନା ଟାଇଗର ରିଜର୍ଭର ଟିମ୍‌, ଚାଲିଛି ତନାଘନା…

ମଧ୍ୟ ପ୍ରଦେଶର ପନ୍ନା ଟାଇଗର ରିଜର୍ଭରେ ଏକ ବାଘର ଝୁଲନ୍ତା ମୃତଦେହ ମିଳିଛି। ମୃତଦେହ କ୍ଲଚ୍‌ ତାରରେ ଲଟକିଥିଲା। ଯେମିତି ହିଁ ଟାଇଗର ରିଜର୍ଭର କର୍ମଚାରୀମାନେ ବାଘର ମୃତଦେହ ଦେଖିବାକୁ ପାଇଥିଲେ, ତ ସଙ୍ଗେ ସଙ୍ଗେ ଅଧିକାରୀମାନଙ୍କୁ ଏ ନେଇ ସୂଚନା ଦେଇଥିଲେ। ଖବର ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛନ୍ତି।

ସେପଟେ ବାଘର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଅଧିକାରୀଙ୍କ ଟିମ୍‌କୁ ଉତ୍ତର ବନ ମଣ୍ଡଳ ଅନ୍ତର୍ଗତ ବିକ୍ରମପୁର ବିଟ୍‌ ପାଖରେ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଏକ ନ୍ୟୁଜ୍‌ ଏଜେନ୍ସି ମୁତାବକ, ଏଥି ପୂର୍ବରୁ ୧୦ ନଭେମ୍ବରରେ ମଧ୍ୟ ଏଠାରେ ବାଘୁଣୀ ପି-୨୧୩ (୬୩)ର ମୃତ୍ୟୁ ଘଟିଥିଲା। ପନ୍ନା ଟାଇଗର ରିଜର୍ଭରେ ଜନ୍ମିତ ଏହି ବାଘୁଣୀ ଏହିଠାରେ ହିଁ ବଢ଼ିଥିଲା। ମୃତ୍ୟୁ ବେଳକୁ ତା’ର ବୟସ ଥିଲା ମାତ୍ର ୩ ବର୍ଷ।

ଟାଇଗର ରିଜର୍ଭ ଟିମ୍‌କୁ ବାଘୁଣୀର ମୃତଦେହ ଅମାନଗଞ୍ଜ ବଫର୍‌ର ବିଟ୍‌ ରମପୁରାରେ ମିଳିଥିଲା। ବାଘୁଣୀର ମୃତ୍ୟୁ ଖବର ପାଇ ଟାଇଗର ରିଜର୍ଭର କ୍ଷେତ୍ର ସଞ୍ଚାଳକ, ଉପ ସଞ୍ଚାଳକ, ବନ୍ୟପ୍ରାଣୀ ଚିକିତ୍ସକ ଏବଂ ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣର ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚି ନିରୀକ୍ଷଣ କରିଥିଲେ।

ସେହିପରି ୯ ଜୁନ୍‌ରେ ମଧ୍ୟ ଏଠାରେ ଏକ ବାଘ ମୃତ ଅବସ୍ଥାରେ ମିଳିଥିଲା। ଜଣେ ବନ ଅଧିକାରୀଙ୍କ ମୁତାବକ, ପି-୧୧୧ ନାମକ ଏହି ବାଘର ବୟସ ପାଖାପାଖି ୧୩ ବର୍ଷ ଥିଲା। ସେହି ସମୟରେ ଟିମ୍‌କୁ ପନ୍ନା-କଟନୀ ରାଜ୍ୟ ରାଜପଥରେ ବାଘର ଶବ ମିଳିଥିଲା। ଏହା ବାଘୁଣୀ ଟି-୧ର ପିଲା ଥିଲା।

ତେବେ ‘ଅଖିଳ ଭାରତୀୟ ବାଘ ଅନୁମାନ ରିପୋର୍ଟ-୨୦୧୮’ ଅନୁସାରେ, ଦେଶରେ ସର୍ବାଧିକ ୫୨୬ ବାଘ ମଧ୍ୟ ପ୍ରଦେଶରେ ଅଛନ୍ତି। କିନ୍ତୁ ଏଠାରେ କିଛି ଦିନ ହେବ ଲଗାତାର ଭାବେ ବାଘମାନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ମଧ୍ୟ ପ୍ରଦେଶର କାହ୍ନା, ବାନ୍ଧବଗଡ଼, ସତପୁଡ଼ା, ପେଞ୍ଚ, ପନ୍ନା ଏବଂ ସଞ୍ଜୟ ଦୁବରୀ ଟାଇଗର ରିଜର୍ଭ ସମେତ ଅନେକ ବ୍ୟାଘ୍ର ଅଭୟାରଣ୍ୟ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.