Below header

ଘଟଣାର ସପ୍ତାହେ ଭିତରେ ଉତ୍ତରାଖଣ୍ଡରୁ ଉଦ୍ଧାର ହେଲାଣି ୩୮ଟି ମୃତଦେହ, ଏବେ ବି ୧୬୬ ଜଣ ନିଖୋଜ

ଉତ୍ତରାଖଣ୍ଡରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତପୋବନର ଏନଟିପିସି ଠାରେ ନିର୍ମାଣାଧୀନ ହାଇଡ୍ରୋ ପ୍ରୋଜେକ୍ଟ ଟନେଲରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆଜି ଷଷ୍ଠ ଦିନରେ ପହଂଚିଛି । ଏଯାବତ ୩୮ଟି ମୃତ ଦେହ ଉଦ୍ଧାର କରି ସାରିଲାଣି ରେସକ୍ୟୁ ଟିମ । ଏବେବି ୧୬୬ ଜଣ ନିଖୋଜ ଥିବା ଜଣାଯାଇଛି । ଶୁକ୍ରବାର ଚମୋଲି ଘାଟରେ ୭୨ ଘଣ୍ଟାର ଅପେକ୍ଷା ପରେ ୮ ଟି ଶବ ସମେତ ତିନିଟି ମାନବ ଅଙ୍ଗର ଅନ୍ତିମ ସଂସ୍କାର କରାଯାଇଛି । ସେପଟେ ଚମୋଲି ଜିଲ୍ଲା ପ୍ରଶାସନ ଋଷିଗଙ୍ଗାରେ ଦେଖାଦେଇଥିବା ଅନିୟମିତ ଜଳସ୍ତର ନଜରରେ ରଖି ଜିଲ୍ଲାରେ ଆଲର୍ଟ ଜାରି କରିଛନ୍ତି ।

ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତିଙ୍କୁ ନଦୀ କୂଳକୁ ଯିବାକୁ ବାରଣ କରାଯାଇଛି । ଏହା ସହ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି । ମୁଖ୍ୟ ଟନେଲ ତଳେ ୧୨ ମିଟର ଗଭୀରରେ ଅବସ୍ଥିତ ଏକ ସିଲଟ ଫ୍ଲାଟିଙ୍ଗ ଟନେଲ ପର୍ଯ୍ୟନ୍ତ ଖୋଳା ଯାଇଅଛି । କିନ୍ତୁ ମଝିରେ ମେସିନ ଖରାପ ହେବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ଉପୁଜିଥିଲେ ହେଁ ତୁରନ୍ତ ବଡ଼ ମେସିନ ଅଣାଯାଇ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟ ବର୍ତ୍ତମାନ ପୁରା ଏନଡିଆରଏଫ ଦଳ ଅଧୀନରେ ଚାଲୁଛି ।

ସେପଟେ ଏନ୍ଟିପିସି ମହାପ୍ରବନ୍ଧକ ରାଜେନ୍ଦ୍ର ପ୍ରସାଦ କହିଛନ୍ତିକି, ୧୦୦ ଇଂଜିନିୟର ଓ ଭୂବିଜ୍ଞାନି ମାନଙ୍କ ଏକ ଟିମ ସେହି ସ୍ଥାନରୁ କାଦୁଅ ହଟାଇବା ସହିତ ଏକା ସାଥିରେ ମେସିନ ଜରିଆରେ ଖୋଳା ଜାରି ରଖିଛନ୍ତି । କିପରି ଟନେଲରେ ଫସିରହିଥିବା ବ୍ୟକ୍ତିଙ୍କୁ ବାହାର କରାଯିବ ସେନେଇ ଚେଷ୍ଟା ଜାରି ରହିଛି । ଚମୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇ କହିଛନ୍ତିକି, ପୀଡିତ ମାନଙ୍କ ଭିତରେ ୨୦୩ଟି ଖାଦ୍ୟ ପ୍ୟାକେଟ, ୨୧ଟି ଲଣ୍ଠନ, ପାଞ୍ଚ ପେଟି ବିସ୍କୁଟ, ପାଣି ସମେତ ଅନ୍ୟାନ ଜରୁରୀ ସାମଗ୍ରୀ ମାନ ଯୋଗାଯାଇ ସରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.