କୁନି ହାତରେ ବଡ଼ ଦାନ : ନିଜ ସାଇକେଲ୍ ପାଇଁ ସଂଚିତ ୯ହଜାର ଟଙ୍କା କେରଳକୁ ଦାନ କଲା ୯ବର୍ଷର ଝିଅ

କେରଳରେ ପ୍ରକୃତିର ପ୍ରଳୟଙ୍କାରୀ ରୂପ । ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ବନ୍ୟା । ଦେବଭୂମି ଦେଖିଛି ଶତାବ୍ଦୀର ସବୁଠୁ ବିଧ୍ୱସ୍ତକାରୀ ବିପର୍ୟ୍ୟୟ । ୪୦୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭.୫ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି। କେରଳରେ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ୫୦୦କୋଟି ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ଏହାଛଡ଼ା ବିଭିନ୍ନ ରାଜ୍ୟ ମଧ୍ୟ କେରଳ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଅନେକ ସାଧାରଣ ଲୋକ ମଧ୍ୟ ନିଜ ସମ୍ବଳ ହିସାବରେ ସାହାଯ୍ୟ ପ୍ରଦାନ କରୁଛନ୍ତି। ଏହା ଭିତରେ ଦୃଷ୍ଟି ଆକର୍ଷଣ କରିଛି ଜଣେ ୯ ବର୍ଷର ନାବାଳିକା ।

ଏହା ସହ ପଢନ୍ତୁ ପେଟିଏମ୍ ମାଲିକ କେରଳକୁ ଦାନ କଲେ ୧୦ହଜାର ଟଙ୍କା , ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ

ସାଇକେଲ୍ କିଣିବା ପାଇଁ ଦୀର୍ଘ ୪ ବର୍ଷ ଧରି ସଞ୍ଚୟ କରିଥିବା ୯ ହଜାର ଟଙ୍କା କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଦାନ କରିଦେଇଛି ଏହି ଛୋଟ ଝିଅଟି । ଟେଲିଭିଜନରେ କେରଳର ବନ୍ୟା ପରିସ୍ଥିତିର ଭିଡିଓ ଦେଖିବା ପରେ ନିଜର ସଞ୍ଚିତ ଅର୍ଥ ରିଲିଫ୍ ନିମନ୍ତେ ଦେବାକୁ ସ୍ଥିର କରିଥିଲା ଅନୁପ୍ରିୟା । ତେବେ ଝିଅଟିର ଏହି ମାନବିକତାରେ ମୁଗ୍ଧ ହୋଇ ପ୍ରଶଂସା କରିଛି ହିରୋ ସାଇକେଲ୍ କମ୍ପାନୀ । ଏହା ସହ ସ୍ବପ୍ନର ସାଇକେଲ୍ ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି ।

କମ୍ପାନୀ ଟୁଇଟ୍ କରି କହିଛି ପ୍ରିୟ ଅନୁପ୍ରିୟା, ଆବଶ୍ୟକତା ସମୟରେ ମାନବତା ପ୍ରତି ତୁମର ସମର୍ଥନକୁ ଆମେ ପ୍ରଶଂସା କରୁଛୁ। ତୁମେ ଆମ ଠାରୁ ଗୋଟିଏ ନୂଆ ସାଇକେଲ୍ ପାଇବ। ତୁମର ଠିକଣା ଡାଇରେକ୍ଟ ମେସେଜ୍ କର କିମ୍ବା ଏହି ମେଲରେ ଯୋଗାଯୋଗ କର  [email protected]. @PankajMMunjal । ତେବେ ଏହି ଛୋଟ ଝିଅଟିର ମହତପଣିଆ ଅନ୍ୟମାନଙ୍କ ପାଇଁ ପାଲଟିଛି ଅନନ୍ୟ ଉଦାହରଣ ।