କେଦାରନାଥ ଧାମର ନୂଆ ରେକର୍ଡ, ୧୮ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁ କଲେ ବାବାଙ୍କ ଦର୍ଶନ

ନୂଆ ରେକର୍ଡ କଲା ଚଳିତ ବର୍ଷର କେଦାରନାଥ ଧାମ ଯାତ୍ରା । ମାତ୍ର ୧୮ ଦିନରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି, ଯାହାକି କେଦାରନାଥ ଯାତ୍ରା ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।

ନୂଆ ରେକର୍ଡ କଲା ଚଳିତ ବର୍ଷର କେଦାରନାଥ ଧାମ ଯାତ୍ରା । ମାତ୍ର ୧୮ ଦିନରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି, ଯାହାକି କେଦାରନାଥ ଯାତ୍ରା ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ବାବା କେଦାରନାଥଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ନାହିଁ ନ ଥିବା ଭିଡ଼ ଜମୁଛି । କେଦାର ଘାଟିଠାରୁ କେଦାରନାଥ ଧାମ ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ଗହଳି ଦେଖିବାକୁ ମିଳୁଛି ।

ଏହି ବର୍ଷ ଆଶାଠାରୁ ଅଧିକ ତୀର୍ଥଯାତ୍ରୀ ବାବାଙ୍କ ଦର୍ଶନ ପାଇଁ ଆସୁଛନ୍ତି ଏବଂ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଚାଲିଛନ୍ତି । ପୂର୍ବ ଯାତ୍ରାର ସମସ୍ତ ରେକର୍ଡ ଭାଙ୍ଗି ଏଥର ମାତ୍ର ୧୮ ଦିନରେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିସାରିଲେଣି ।

ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତିଦିନ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ କେଦାରନାଥ ଧାମ ଆସୁଛନ୍ତି । ପ୍ରଶାସନ ମଧ୍ୟ ଏହି ଯାତ୍ରା ଉପରେ ତୀକ୍ଷ୍ଣ ନଜର ରଖିଛି । ପାଦଚଲା ରାସ୍ତା ସହ ଶୌଚାଳୟ, ବିଦ୍ୟୁତ୍, ଯୋଗାଯୋଗ, ରହିବା ଏବଂ ଖାଇବା ଭଳି ସୁବିଧା ଉପଲବ୍ଧ କରାଯାଉଛି । ଏହା ବ୍ୟତୀତ ପ୍ରତ୍ୟେକ ହେଲିପ୍ୟାଡ୍‌, ଧାମ, ପାଦଚଲା ରାସ୍ତା, ଟ୍ରାଭେଲ ହଲ ଏବଂ ରାଜପଥରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି ।

ଯାତ୍ରୀଙ୍କ ସୁରକ୍ଷା ତଥା ସେବା ପାଇଁ ରୁଦ୍ରପ୍ରୟାଗ ପ୍ରଶାସନ ତରଫରୁ ପିଆର୍‌ଡି, ହୋମଗାର୍ଡ, ପୋଲିସ, ଏସ୍‌ଡିଆର୍‌ଏଫ୍‌, ଯାତ୍ରା ମ୍ୟାନେଜମେଣ୍ଟ ଫୋର୍ସ, ଡିଡିଆର୍‌ଏଫ୍‌ ଯବାନମାନଙ୍କ ସହ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ସୋନପ୍ରାୟାଗ, ଗୌରୀକୁଣ୍ଡ, ପାଦଚଲା ରାସ୍ତାର ମୁଖ୍ୟ ଷ୍ଟପେଜ୍‌ ଏବଂ କେଦାରନାଥ ଧାମରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି ।

ଅଭାବୀ ଯାତ୍ରୀମାନଙ୍କୁ ଅମ୍ଳଜାନ ସୁବିଧା ଯୋଗାଇ ଦିଆଯାଉଛି । ପାଦଚଲା ରାସ୍ତାରେ ଘୋଡ଼ା, ଖଚର ଏବଂ ସେମାନଙ୍କ ସଞ୍ଚାଳକମାନଙ୍କ ଯୋଗୁ ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଏକ ମନିଟରିଂ ଟିମ୍‌ ମଧ୍ୟ ମୁତୟନ କରାଯାଇଛି ।

Leave A Reply

Your email address will not be published.