କୋଟା ଛାତ୍ର ମୃତ୍ୟୁ ମାମଲାରେ ଲାଗିବ ରୋକ, ‘ଅଧାଦିନ ପଢା, ଅଧା ଦିନ ମସ୍ତି’ରେ ହେବ ପାଠପଢା

କୋଟାରେ ପାଠପଢା ଚାପ ଯୋଗୁଁ ପିଲା ଜୀବନ ହାରୁଛନ୍ତି । ଗତକାଲି ୫ ଘଣ୍ଟା ମଧ୍ୟରେ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ତେଣୁ ଏଭଳି ମାମଲାକୁ ରୋକିବା ପାଇଁ ସପ୍ତାହର ଗୋଟିଏ ଦିନରେ ଅଧା ଦିନ ପଢା ଏବଂ ଅଧା ଦିନ ମସ୍ତି, ପିଲାଙ୍କୁ ମନୋବୈଜ୍ଞାନିକ ପରାମର୍ଶ ଦେବା ଭଳି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ରାଜସ୍ଥାନ କୋଟାରେ ପାଠର ଚାପ ନେଉଛି ପିଲାଙ୍କ ଜୀବନ। ରାଜସ୍ଥାନର କୋଟାର ଏକ କୋଚିଂ ସେଣ୍ଟର ନିଟ୍‌ ଆଶାୟୀ ଆଉ ଦୁଇ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ଉଭୟ କୋଚିଂ ସେଣ୍ଟରରେ ପରୀକ୍ଷା ଦେଇଥିଲେ। ଏଭଳି ମାମଲାରେ ଲଗାମ ଲଗାଇବା ପାଇଁ ସପ୍ତାହରେ ଗୋଟିଏ ଦିନ ‘ଅଧା ଦିନ ପଢା ଏବଂ ଅଧା ଦିନ ମସ୍ତି’ , ଆତ୍ମହତ୍ୟା କରିବାକୁ ପ୍ରବୃତ୍ତି ରଖୁଥିବା ପିଲାଙ୍କୁ ଚିହ୍ନଟ ଏବଂ ମନୋବୈଜ୍ଞାନିକ ପରାମର୍ଶ ଦେବା ଭଳି ପଦକ୍ଷେପ ନିଆଯିବ ।

ଆତ୍ମହତ୍ୟା କରିଥିବା ଦୁଇ ଛାତ୍ର ହେଲେ ମହାରାଷ୍ଟ୍ରର ଆବିଷ୍କାର ଶମ୍ଭାଜୀ କାସଲେ ଓ ବିହାରର ଆଦର୍ଶ ରାଜ। ଆବିଷ୍କାର କୋଚିଂ ଇନଷ୍ଟିଚ୍ୟୁଟ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଦର୍ଶ ନିଜ ଭଡାଘରେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ କୋଟା ଜିଲ୍ଲାପାଳ ଆଗାମୀ ଦୁଇ ମାସ ଯାଏଁ କୋଟାର କୌଣସି କୋଚିଂ ଇନଷ୍ଟିଚ୍ୟୁଟ ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ବଢି ଚାଲିଥିବାରୁ ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ପରିସ୍ଥିତି ସମୀକ୍ଷା କରିବା ସହ ଆତ୍ମହତ୍ୟା ରୋକିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ଏକ ସମିତି ଖୁବଶୀଘ୍ର କୋଟା ଗସ୍ତ କରିବ । କୋଚିଂ ସେଣ୍ଟରର ପ୍ରତ୍ୟେକ ବୁଧବାର ଅଧାଦିନ ପଢା ଏବଂ ଅଧା ଦିନ ମସ୍ତି କରିବା ପାଇଁ ସେସନ ରଖାଯିବ ।

କୋଟାକୁ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ କୋଚିଂ ପାଇଁ ଆସିଥାନ୍ତି। ସୂଚନା ଅନୁସାରେ, ୨୦୧୫ ପରଠାରୁ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ଚଳିତବର୍ଷର ସବୁଠାରୁ ଅଧିକ ରହିଛି । ଏହି ଦୁଇ ଛାତ୍ରଙ୍କ ସହ କୋଟାରେ ଚଳିତ ବର୍ଷ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।

ତେବେ ଆତ୍ମହତ୍ୟା କରିଥିବା ଏହି ୧୬ ବର୍ଷୀୟ ଛାତ୍ରଜଣକ ମହାରାଷ୍ଟ୍ରର ଆବିଷ୍କାର ଶମ୍ଭାଜୀ କାସଲେ ବୋଲି ପୋଲିସ ସୂଚନା ଦେଇଛି। ଏହି ଛାତ୍ର କୋଟାର ବିଜ୍ଞାନ ନଗର ଅଞ୍ଚଳର ଏକ ୬ ମହଲା କୋଠାରୁ ଡେଇଁ ପଡି ଆତ୍ମହତ୍ୟା କରିଥିଲେ । ତେବେ ଏହାର ୬ ଘଣ୍ଟା ପରେ ବିହାରର ଆଉ ଜଣେ ଛାତ୍ର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଛାତ୍ର ଜଣକ ନିଜର ସମ୍ପର୍କୀୟ ଭାଇ ଏବଂ ଭଉଣୀ ସହିତ କୁନାଡିରେ ଏକ ଭଡା ଆପାର୍ଟମେଣ୍ଟରେ ରହୁଥିଲେ । ୨୦୨୨ରେ କୋଟାରେ ୧୫ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୧୮ ଜଣ, ୨୦୧୮ରେ ୨୦ ଜଣ ଏବଂ ୨୦୧୭ରେ ୭ ଜଣ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.