ମୁହାଁମୁହିଁ ହେବେ ପାଓ୍ଵାର କ୍ୟାମ୍ପ: ଶକ୍ତି ପ୍ରଦର୍ଶନ ପାଇଁ ଲାଗି ପଡ଼ିଛନ୍ତି ଦାଦା-ପୁତୁରା, ଆଜି ଉଭୟ ଗୋଷ୍ଠୀର ବୈଠକ

ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଛି ହାଇଡ୍ରାମା । ଏବେ ଅଜିତ ଓ ଶରଦ ପାୱାରଙ୍କ ଗୋଷ୍ଠୀ ନିଜ ନିଜ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି । ଏଥିପାଇଁ ଉଭୟ ଗୋଷ୍ଠୀ ଆଜି ଭିନ୍ନ ଭିନ୍ନ ବୈଠକ ଡାକିଛନ୍ତି । ଏଥିରେ ଏନସିପିର ସମସ୍ତ ବିଧାୟକ ଓ ନେତାଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି ।

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ପାଓ୍ଵାର ଲଢ଼େଇରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଦାଦା-ପୁତୁରା ଲଢ଼େଇରେ ପାଓ୍ଵାରଫୁଲ୍‌ କିଏ ? ଘମାସାନ ଭିତରେ ଆଜି ଶରଦ ପାଓ୍ଵାର ଓ ଅଜିତ ପାଓ୍ଵାର କ୍ୟାମ୍ପ ଶକ୍ତି ପ୍ରଦର୍ଶନ କରିବେ । ଏନସିପିର ଦୁଇ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ସକାଳ ୧୧ଟାରେ ବାନ୍ଦ୍ରା ଏମଇଟି କଲେଜରେ ଏନସିପି ବିଧାୟକ ଓ ସାଂସଦଙ୍କ ବୈଠକ ଡାକିଛନ୍ତି ।

ଅନ୍ୟପଟେ ମଧ୍ୟାହ୍ନ ଗୋଟାଏରେ ନରିମନ୍‌ ପଏଣ୍ଟର ୱାଇ.ବି ଚୌହାନ ଅଡିଟୋରିୟମରେ ସବୁ ବିଧାୟକ ଓ ସାଂସଦଙ୍କ ବୈଠକ ଡାକିଛନ୍ତି ଶରଦ ପାଓ୍ଵାର । ଏଥିରେ ଦଳର ଜିଲ୍ଲାସ୍ତରର କାର୍ଯ୍ୟକର୍ତ୍ତା ବି ସାମିଲ ହେବେ । ସବୁ ବିଧାୟକଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ପ୍ରମୁଖ ଦଳୀୟ ହ୍ଵିପ୍‌ ଜାରି କରିଛନ୍ତି । ସେହିପରି ଅଜିତ ପାଓ୍ଵାର ବି ଜାରି କରିଛନ୍ତି ହ୍ଵିପ୍‌ । ସେ ଦାବି କରୁଛନ୍ତି ତାଙ୍କ ସମର୍ଥନରେ ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏନସିପିର କ୍ଷମତା ଲଢେଇରେ ସଂଖ୍ୟାବଳ ଦେଖାଇବାକୁ ଆଜି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାହା ବୈଠକରେ କେଉଁମାନେ ଉପସ୍ଥିତ ରହୁଛନ୍ତି ଦେଖିବା ବାକି ରହିଛି । ଏଥିରୁ ଭବିଷ୍ୟତ ଫୈସଲାର ସ୍ପଷ୍ଟ ସଙ୍କେତ ଆସିବ । ଅଜିତଙ୍କ ବିଦ୍ରୋହୀ କ୍ୟାମ୍ପର କିଛି ବିଧାୟକ ଶରତ ପାଓ୍ଵାରଙ୍କ ଆଡକୁ ଢଳୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସନ୍ଧ୍ୟା ୭ଟାରେ ଶିବସେନା ମନ୍ତ୍ରୀଙ୍କ ବୈଠକ ବି ଡାକିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.