ବ୍ରିଟେନ୍‌ରେ ଟମାଟୋ ନାହିଁ, ସୋସିଆଲ ମିଡିଆରେ ଲୋକେ ପୋଷ୍ଟ କରୁଛନ୍ତି ଖାଲି ସୁପର ମାର୍କେଟ୍‌ର ଫଟୋ

ବ୍ରିଟେନ୍‌ରେ ବର୍ତ୍ତମାନ ସମୟରେ ଟମାଟୋର ଘୋର ଅଭାବ ଦେଖାଦେଇଛି। ଏଠାକାର ବିଭିନ୍ନ ସୁପର ମାର୍କେଟ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସୁପର ମାର୍କେଟ୍‌ଗୁଡ଼ିକରେ ଟମାଟୋ ଗାଏବ ଥିବା ଦେଖିବାକୁ ମିଳୁଛି। ଫଟୋ ପୋଷ୍ଟ କରି ଲୋକେ ବ୍ରିଟେନ୍‌ର ନେତାମାନଙ୍କୁ ମଧ୍ୟ ଟ୍ୟାଗ୍‌ କରୁଛନ୍ତି।

ଆର୍ଥିକ ସଙ୍କଟରେ ଜୁଝି ହେଉଥିବା ପାକିସ୍ତାନରେ ଅନେକ ବାର ଟମାଟୋ ଅଭାବର ଖବର ସାମ୍ନାକୁ ଆସିଛି। କିନ୍ତୁ କ’ଣ ଆପଣ ୟୁରୋପର କୌଣସି ଦେଶରେ ଟମାଟୋ ଅଭାବ ବିଷୟରେ ଶୁଣିଛନ୍ତି କି? ଟମାଟୋ ଅଭାବର ଏହି ଖବର ଲକ୍‌ଜମବର୍ଗ କିମ୍ବା ସ୍ୟାନ୍‌ ମେରିନୋ ଭଳି ଛୋଟ ୟୁରୋପିଆନ୍‌ ଦେଶରୁ ନୁହେଁ, ବରଂ ଆସିଛି ବ୍ରିଟେନରୁ।

ବ୍ରିଟେନରେ ବର୍ତ୍ତମାନ ସମୟରେ ଟମାଟୋର ଘୋର୍‌ ଅଭାବ ଦେଖାଦେଇଛି। ସୁପର ମାର୍କେଟ୍‌ରେ ଟମାଟୋର ଥାକ ଖାଲି ପଡ଼ିଛି। ଲୋକେ ସୋସିଆଲ ମିଡିଆରେ ଏହାର ଫଟୋଗୁଡ଼ିକ ପୋଷ୍ଟ କରି ସରକାରଙ୍କୁ ପଚାରୁଛନ୍ତି କି, ସେମାନଙ୍କୁ ଟମାଟୋ କେବେ ମିଳିବ?

ଟୋନି ପି ରେଡିଓ ଶୋ’ ନାମକ ଟ୍ଵିଟର ଆକାଉଣ୍ଟ ଚଲାଉଥିବା ୟୁଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଅନେକ ସୁପର ଷ୍ଟୋରର ସେଲ୍ଫ ଖାଲି ପଡ଼ିଛି। ସେମାନଙ୍କୁ ଲାଗୁଛି, ଯେପରି କେବଳ ଟମାଟୋ ନୁହେଁ, ବରଂ ଷ୍ଟୋର୍‌ରୁ ସବୁ କିଛି ଶେଷ ହେବାରେ ଲାଗୁଛି।

ବାସ୍ତବରେ, ବ୍ରିଟେନରେ ବହୁ ପରିମାଣରେ ମରକ୍କୋ ଏବଂ ସ୍ପେନ୍‌ରୁ ଟମାଟୋ ଯୋଗାଣ ହୋଇଥାଏ। ମରକ୍କୋରେ ଗତ ୪ ସପ୍ତାହ ହେବ ଭୀଷଣ ବର୍ଷା ଲାଗି ରହିଛି। ସେଠାରେ ଏହି ସମୟରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି ଏବଂ ଭୟଙ୍କର ଥଣ୍ଡା ପଡ଼ିଛି। ଏହି କାରଣରୁ ସେଠାରୁ ବ୍ରିଟେନ୍‌ରୁ ସପ୍ଲାଏ ହେବାକୁ ଥିବା ପନିପରିବା ଏବଂ ଫଳଗୁଡ଼ିକ ଯୋଗାଣ ହୋଇପାରୁ ନାହିଁ।

ମରକ୍କୋ ବ୍ୟତୀତ ସ୍ପେନ୍‌ରୁ ମଧ୍ୟ ବ୍ରିଟେନରେ ଜିନିଷ ଆମଦାନୀ ହୋଇଥାଏ। କିନ୍ତୁ ସେଠାରେ ବି ଏହି ସମୟରେ ପାଗ ଖରାପ ରହିଛି। ଉଭୟ ଦେଶରେ ଅତ୍ୟଧିକ ଥଣ୍ଡା ପଡ଼ିବା କାରଣରୁ ଟମାଟୋ ଫସଲ ଅମଳ ହୋଇପାରୁ ନାହିଁ। ଖରାପ ପାଣିପାଗ ହେତୁ ସ୍ପେନ୍‌ରୁ ମଧ୍ୟ ଜିନିଷଗୁଡ଼ିକ ସପ୍ଲାଏ ହୋଇ ପାରୁନାହିଁ।

Leave A Reply

Your email address will not be published.