ଅଧା ରହିଗଲା ବୈଷ୍ଣୋ ଦେବୀ ଦର୍ଶନ; ବସ୍-ଟ୍ରକ୍ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୭ ଜୀବନ
ହରିୟାଣାର ଅମ୍ବାଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବସ୍ ଓ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ହୋଇ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି ।

ହରିୟାଣାର ଅମ୍ବାଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବସ୍ ଓ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ହୋଇ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ମିନି ବସ୍ରେ କିଛି ଶ୍ରଦ୍ଧାଳୁ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ହେଲେ ରାସ୍ତାରେ ଶ୍ରଦ୍ଧାଳୁଙ୍କ ବସ୍ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବସ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା ।
ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିବା ବସ୍ର ଜଣେ ଯାତ୍ରୀ ଶିବାନୀ କହିଛନ୍ତି ଯେ ଡ୍ରାଇଭର ଜଣକ ମଦ୍ୟପାନ କରିଥିଲେ । ଦୁର୍ଘଟଣା ପରେ ସେ ପ୍ରଥମେ ଗାଡ଼ିରୁ ବାହାରି ଖସି ପଳାଇଥିଲେ । ବସ୍ ଭିତରେ ପାଖାପାଖି ୩୦ରୁ ୩୫ ଜଣ ଯାତ୍ରୀ ଥିଲେ ଏବଂ ସମେସ୍ତ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ଆମମାନଙ୍କ ଆଖି ସାମାନ୍ୟ ଲାଗିଯାଇଥିଲା, ତେଣୁ ଦୁର୍ଘଟଣା କିପରି ଘଟିଲା, ତାହା ଜାଣିପାରି ନ ଥିଲୁ ।
ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେପଟେ ଉତ୍ତର ପ୍ରଦେଶରେ ଯମୁନା ଏକ୍ସପ୍ରେସ୍ୱେରେ ଟ୍ରାକ୍ଟର ଓ କାର୍ ମଧ୍ୟରେ ଭୀଷଣ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଟ୍ରାକ୍ଟରଟି ଘଟଣାସ୍ଥଳରେ ଓଲଟି ପଡ଼ିଥିବା ବେଳେ କାର୍ ଭିତରେ ଫସି ରହିଥିବା ଦୁଇ ମା’, ଝିଅଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
ବହୁ କଠିନ ପରିଶ୍ରମ ପରେ କାର୍ ଭିତରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ଭୀଷଣ ଦୁର୍ଘଟଣାରେ କାର୍ରେ ଥିବା ମା’, ଝିଅଙ୍କ ସହ ଟ୍ରାକ୍ଟର ଚାଳକ ମଧ୍ୟ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ ଠିକ୍ ସମୟରେ କାର୍ର ଏୟାରବ୍ୟାଗ୍ ଖୋଲିଯିବାରୁ ମା’ ଓ ଝିଅଙ୍କ ଜୀବନ ରକ୍ଷା ପାଇଯାଇଛି ।