ତୁର୍କୀ ଏବଂ ସିରିଆ ଭୂମିକମ୍ପ ମୃତକଙ୍କ ସଂଖ୍ୟା ୧୫ ହଜାର ପାର, ୬୦ ହଜାରରୁ ଅଧିକ ଆହତ; ମାଟି ତଳୁ ମୃତଦେହ ଖୋଜୁଛନ୍ତି ପରିଜନ

ତୁର୍କୀ ଏବଂ ସିରିଆ ଭୂମିକମ୍ପ ମୃତକଙ୍କ ସଂଖ୍ୟା ୧୫ ହଜାର ପାର । ଆଗକୁ ଆହୁରି ଅଧିକ ବଢ଼ିବ ମୃତ୍ୟୁସଂଖ୍ୟା । ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି ୭୦ରୁ ଅଧିକ ଦେଶ।

ତୁର୍କୀ ଭୂମିକମ୍ପରେ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫେବୃଆରୀ ୬ ତାରିଖରେ ଆସିଥିବା ଭୂମିକମ୍ପ ସବୁକିଛି ଝାରଖାର କରିଦେଇଥିଲା । ଏପର୍ଯ୍ୟନ୍ତ ମାଟି ତଳୁ ଦବିଥିବା ଲୋକଙ୍କ ମୃତଦେହ ଉଦ୍ଧାର କରାଯାଉଛି । ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ତୁର୍କୀରେ ମୃତ୍ୟୁସଂଖ୍ୟା ୧୨ହଜାର ୩୯୧କୁ ବୃଦ୍ଧି ପାଇଛି । ଆହତ ହୋଇଛନ୍ତି ୬୦ ହଜାରରୁ ଅଧିକ । ସିରିଆରେ ମୃତ୍ୟୁସଂଖ୍ୟା ବଢି ୩,୪୮୬। ସିରିଆରେ ଆହତଙ୍କ ସଂଖ୍ୟା ମଧ୍ୟ ବଢି ୫,୨୪୭ରେ ପହଞ୍ଚିଲାଣି । ଆଗକୁ ଆହୁରି ଅଧିକ ବଢ଼ିବ ମୃତ୍ୟୁସଂଖ୍ୟା ।

୭୨ ଘଣ୍ଟା ପରେ ବି ଧ୍ୱଂସସ୍ତୁପ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍ । ଶହ ଶହ ମୃତଦେହ ଉଦ୍ଧାର ହେଉଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଭାବରେ ବି ଉଦ୍ଧାର କରାଯାଉଛି । ଲଗାତାର ଚାଲିଛି ରେସକ୍ୟୁ ଅପରେସନ୍ । ତୁର୍କୀର ବିଭିନ୍ନ ପ୍ରଦେଶରେ ଉଦ୍ଧାର ବେଳର ହୃଦୟ ବିଦାରକ ଦୃଶ୍ୟ ସାରା ବିଶ୍ୱକୁ ଭାବବିହ୍ଵଳ କରୁଛି । ତେବେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୧୫୦ରୁ ଅଧିକ ଝଟକା ଲାଗିଲା । ତୁର୍କୀ ଭୂମିକମ୍ପ ଝଟକା ପରେ ଗ୍ରୀନଲାଣ୍ଡରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି ।

ତୁର୍କୀର ୧୦ଟି ପ୍ରଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ତାଇପି ଏରଡୋଗାନ୍ । ଭଙ୍ଗା କୋଠା ତଳୁ ତ୍ରାହି ତ୍ରାହି ଡାକ ଶୁଭୁଛି । ଭୂକମ୍ପରୁ ବଞ୍ଚି ଯାଇଥିବା ଲୋକ ଭଙ୍ଗା ଘର ଉପରେ ବସି କାନ୍ଦି କାନ୍ଦି କଂକ୍ରିଟ୍ ଅଣ୍ଡାଳୁଛନ୍ତି । ତୁର୍କୀ ଓ ସିରିଆରେ ନିଜ ପ୍ରିୟଜନଙ୍କୁ ଖୋଜୁଥିବାର ଲୋମଟାଙ୍କୁରା ଦୃଶ୍ୟ ସାରା ବିଶ୍ୱ ଆଖିରେ ଲୁହ ଭରିଛି । ଭୂମିକମ୍ପରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ପରିବାର ବେସାହାର ହୋଇପଡିଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଲୋକଙ୍କ ପାଖରେ ଛାତ ନାହିଁ । ଭାରତ ସମେତ ୟୁରୋପୀୟ ସଂଘ, ଚୀନ୍ ଭଳି ୭୦ରୁ ଅଧିକ ଦେଶ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଛନ୍ତି ବିଭିନ୍ନ ଦେଶର ଟିମ୍ ।

ସୂଚନାଯୋଗ୍ୟ, ଫେବୃଆରୀ ୬ ତାରିଖରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏହା ପରେ ୧୨ ଘଣ୍ଟା ମଧ୍ୟରେ ୩ଥର ପାଇଁ ୨ ଦିନ ମଧ୍ୟରେ ୫ ଥର ଭୂମିକମ୍ପ ହୋଇଥିଲା । ପ୍ରତି ଘଣ୍ଟାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.