ମହିଳାଙ୍କ ଚୁଟି ଟାଣି ଘୋଷାଡ଼ି ନେଲେ ଲେଡି କନେଷ୍ଟବଳ, ଭିଡିଓ ଦେଖି ଉତ୍ତେଜିତ ହେଲେ ଲୋକେ

ହାଇଦ୍ରାବାଦରେ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ଭବନ ନିର୍ମାଣ ପାଇଁ କୃଷି ବିଶ୍ୱବିଦ୍ୟାଳୟର ଜମି ଆବଣ୍ଟନକୁ ନେଇ କିଛି ଛାତ୍ର ବିରୋଧ ପ୍ରଦର୍ଶନ କରୁଥିଲେ । ଠିକ୍‌ ଏହି ସମୟରେ ଦୁଇ ଜଣ ଲେଡି କନେଷ୍ଟବଳ ଏକ ସ୍କୁଟିରେ ଯିବା ସମୟରେ ଜଣେ ଛାତ୍ରୀଙ୍କ ଚୁଟି ଘୋଷାଡ଼ି ଥିଲେ ।

ପୋଲିସ କର୍ମଚାରୀ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ସବୁବେଳେ ସଜାଗ ରହିଥାନ୍ତି । କିନ୍ତୁ କିଛି କର୍ମଚାରୀ ଏମିତି ବି ଥାଆନ୍ତି, ଯେଉଁମାନେ ନୀରିହ ଜନ ସାଧାରଣଙ୍କୁ ପୋକ ମାଛି ଭଳି ବ୍ୟବହାର କରନ୍ତି । ଏପରି କହିବାର କାରଣ ହେଉଛି ନିକଟରେ ହିଁ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଦୁଇ ଜଣ ଲେଡି କନେଷ୍ଟବଳ ଜଣେ ଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଦୁଇ ଜଣ ଲେଡି କନେଷ୍ଟବଳ ସ୍କୁଟିରେ ବସି ଜଣେ ଛାତ୍ରୀଙ୍କ ଚୁଟି ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି । ଛାତ୍ରୀଙ୍କ ଚୁଟି ଟାଣିବା ଫଳରେ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ । କିନ୍ତୁ ଲେଡି କନେଷ୍ଟବଳଙ୍କ ମନରେ ଟିକେ ବି ଦୟା ଆସି ନଥିଲା ଏବଂ ସେ ଉକ୍ତ ଛାତ୍ରୀଙ୍କ ଚୁଟିକୁ ଛାଡ଼ି ନଥିଲେ । ତେବେ ଆସନ୍ତୁ ଜାଣିବା ଦୁଇ ଜଣ ଲେଡି କନେଷ୍ଟବଳ ଏପରି କାହିଁକି କରିଛନ୍ତି ।

ହାଇଦ୍ରାବାଦରେ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ଭବନ ନିର୍ମାଣ ପାଇଁ କୃଷି ବିଶ୍ୱବିଦ୍ୟାଳୟର ଜମି ଆବଣ୍ଟନକୁ ନେଇ କିଛି ଛାତ୍ର ବିରୋଧ ପ୍ରଦର୍ଶନ କରୁଥିଲେ । ଠିକ୍‌ ଏହି ସମୟରେ ଦୁଇ ଜଣ ଲେଡି କନେଷ୍ଟବଳ ଏକ ସ୍କୁଟିରେ ଯିବା ସମୟରେ ଜଣେ ଛାତ୍ରୀଙ୍କ ଚୁଟି ଘୋଷାଡ଼ି ଥିଲେ । ଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଚୁଟି ଟାଣିଥିଲେ ଲେଡି କନେଷ୍ଟବଳ । ବର୍ତ୍ତମାନ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଭିଡିଓରେ ଦେଖାଯାଇଛି ଯେ ସ୍କୁଟରରେ ଥିବା ଦୁଇ ଜଣ ଲେଡି କନେଷ୍ଟବଳ ଜଣେ ଛାତ୍ରୀଙ୍କୁ ଗୋଡ଼ାଉଛନ୍ତି ଏବଂ ପଛରେ ବସିଥିବା ଲେଡି କନେଷ୍ଟବଳ ଉକ୍ତ ଛାତ୍ରୀଙ୍କ ଚୁଟି ଟାଣି ନେଇଥିଲେ । ଏହି କାରଣରୁ ଝିଅ ଜଣଙ୍କ ତଳେ ପଡ଼ି ଯାଇଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ ।

କୃଷି ବିଶ୍ୱବିଦ୍ୟାଳୟ ପରିସରରେ ହାଇକୋର୍ଟ ନିର୍ମାଣ ପାଇଁ ବିଶ୍ୱବିଦ୍ୟାଳୟ ଜମି ଆବଣ୍ଟନ ବିରୋଧରେ ଏକ ଛାତ୍ର ଗୋଷ୍ଠୀ ବିରୋଧ ପ୍ରଦର୍ଶନ ସମୟରେ ଏହି ଘଟଣା ଘଟିଛି । ଏହି ଭିଡିଓ ଦେଖିବା ପରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ସମ୍ପୃକ୍ତ ଲେଡି କନେଷ୍ଟବଳଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଘଟଣାର ତଦନ୍ତ ପାଇଁ ସାଇବରାବାଦ ପୋଲିସ ନିର୍ଦ୍ଦେଶ ଦେଇଛି।

ପୋଲିସ ସୂଚନା ଅନୁଯାୟୀ ରାଜେନ୍ଦ୍ରନଗରସ୍ଥିତ କୃଷି ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ ବେଳେ ଏହି ଘଟଣା ଘଟିଛି । ବିରୋଧ ସମୟରେ କିଛି ପ୍ରତିବାଦକାରୀଙ୍କୁ ପୋଲିସ ହେପାଜତକୁ ନେବାକୁ ଚେଷ୍ଟା କରୁଥିଲା ଏହି ସମୟରେ ସେମାନେ ଖସି ପଳାଇବାକୁ ଆରମ୍ଭ କରିଥିଲେ । ଲେଡି କନେଷ୍ଟବଳ ସେମାନଙ୍କୁ ଗୋଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିବା ପୋଲିସ କହିଛି । ଘଟଣାର ତଦନ୍ତ କରାଯିବ ବୋଲି କୁହାଯାଇଛି ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ଵିଟରରେ ସେୟାର କରାଯାଇଛି । ଲୋକମାନେ ଭିଡିଓକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି । ଜଣେ ଲେଡି କନେଷ୍ଟବଳ ହୋଇ କିଭଳି ଅନ୍ୟ ଜଣେ ମହିଳାଙ୍କ ସହ ଏପରି ଦୁର୍ବବ୍ୟବହାର କଲେ ସାଧାରଣରେ ପ୍ରଶ୍ନ ଉଠିଛି । ପୋଲିସ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ଥାଏ କିନ୍ତୁ ପୋଲିସ କର୍ମଚାରୀମାନେ ଯଦି ଏମିତି ବ୍ୟବହାର କରିବେ ତେବେ ଜନ ସାଧାରଣ ନିଜ ଅଭିଯୋଗ ନେଇ କୁଆଡ଼େ ବା ଯିବେ । ତେବେ ଏଭଳି ଘଟଣାକୁ ନେଇ ଯାଞ୍ଚ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.